ଓଡ଼ଗାଁ, ୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋରସ୍ଥିତ ମା’ ପାଣିଷଣ୍ଢ ମନ୍ଦିର ସଭାଗୃହରେ କୁରାଳ ମଣ୍ଡଳ ବିଜେପି ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ମଣ୍ଡଳ ଅନ୍ତର୍ଗତ ୯ଟି ପଞ୍ଚାୟତର ବିଜେପି ସମର୍ଥିତ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନେ ବୈଠକରେ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ନେଇ ଆଲୋଚନା କରିଥିଲେ। ପ୍ରଭାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋମଣ୍ଡ ପଞ୍ଚାୟତର ନୀଳମଣି ସାହୁ, ରୋହିବାଙ୍କ ପଞ୍ଚାୟତର ଉମାଚରଣ ନାହାକ, ଗିରିଡିପଲ୍ଲୀ ପଞ୍ଚାୟତର ପ୍ରଭାକର ବେହେରା, କୁରାଳ ପଞ୍ଚାୟତର କାହ୍ନୁଚରଣ ପରିଡ଼ା, ରଙ୍ଗଣୀପାଟଣା ପଞ୍ଚାୟତର ହରିହର ସାହୁ ଓ ସନ୍ତୋଷ କୁମାର ସାହୁ, ସୁନାମୁହିଁ ପଞ୍ଚାୟତର ରାମହରି ଚୌଧୁରୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ।
ବୈଠକରେ ସଘନ ସଂଶୋଧନ, ବୁଥ କମିଟି ଗଠନ, ସାଂସଦ ପାଣ୍ଠିର ପ୍ରତ୍ୟେକ ପଞ୍ଚାୟତକୁ ସୁଷମ ବଣ୍ଟନ ଓ ଜନଜାଗରଣ, ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ପାଇଖାନା ନଥିବା ପରିବାରକୁ ପାଇଖାନା ଯୋଗାଇଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଗ୍ରାମାଭିମୁଖୀ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସାଂଗଠନିକ ରଣକୌଶଳ ପ୍ରସ୍ତୁତ କରିବା ନେଇ ସହମତି ପ୍ରକାଶ ପାଇଥିଲା। ବୈଠକରେ ୪୦ରୁ ଊର୍ଦ୍ଧ୍ୱ ସମର୍ଥକ ଓ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ସୁବାସ ମହାନ୍ତି, ଗୋପୀନାଥ ବେହେରା ଓ ସୁରେଶ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.