କୀର୍ତ୍ତନ ଗାୟକ ଲିଙ୍ଗରାଜ ଥିଲେ ଜଣେ ଅମ୍ଳାନ ପ୍ରତିଭା

31


ପେଷା ଥିଲା କୃଷିକର୍ମ, ନିଶା ଥିଲା କୀର୍ତ୍ତନ ଗାୟନ


ଓଡ଼ଗାଁ,୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ଓ ପ୍ରଭାବଶାଳୀ କୀର୍ତ୍ତନ ଗାୟକ ଭାବେ ପରିଚିତ ଲିଙ୍ଗରାଜ ଦାସଙ୍କ ପରଲୋକ ଓଡ଼ଗାଁ ଅଞ୍ଚଳର କୀର୍ତ୍ତନ କଳାଜଗତ ସମେତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ରଙ୍ଗଣୀପାଟଣା ପଞ୍ଚାୟତ ଅନ୍ତର୍ଗତ ପାଇକ ପନ୍ତିଖାରୀ ଗ୍ରାମର ଏହି ବିଶିଷ୍ଟ କୀର୍ତ୍ତନ ଗାୟକ ନିଜର ସ୍ୱତନ୍ତ୍ର ଗାୟନ ଶୈଳୀ ଓ ଅସାଧାରଣ ପ୍ରତିଭା ପାଇଁ ସର୍ବତ୍ର ଥିଲେ ପରିଚିତ। ପିତା ପ୍ରତିଷ୍ଠିତ କୀର୍ତ୍ତନ ଗାୟକ ବାଞ୍ଛାନିଧି ଦାସଙ୍କ ଗାୟନରେ ପ୍ରଭାବିତ ହୋଇ ଲିଙ୍ଗରାଜ ପିତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ନିଜର ଅଧ୍ୟବସାୟ, ଅଭ୍ୟାସ ଓ ପ୍ରତିଭା ବଳରେ ସେ କୀର୍ତ୍ତନ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିବାରେ ସମର୍ଥ ହୋଇଥିଲେ। ଅବିଭକ୍ତ ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଦୀ କୀର୍ତ୍ତନ ପରିବେଷଣ କରି ସେ ନିଜ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରୁଥିଲେ। ପ୍ରତିପକ୍ଷ ଗାୟକଙ୍କୁ କୀର୍ତ୍ତନ ଓ ଶାସ୍ତ୍ର ସମ୍ପର୍କିତ ପ୍ରଶ୍ନ ପଚାରି ନିଜର ଯୁକ୍ତି, ଜ୍ଞାନ ଓ ଗାୟନ ଦକ୍ଷତାରେ ମଞ୍ଚରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ତାଙ୍କ ପ୍ରତିଭାର ଖ୍ୟାତି ପ୍ରଚାରିତ ହେବା ପରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ସେଠାରେ କୀର୍ତ୍ତନ ପରିବେଷଣ କରି ସେ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କ ଠାରୁ ଉଚ୍ଚ ପ୍ରଶଂସା ଲାଭ କରିଥିଲେ। କୀର୍ତ୍ତନ ମାଧ୍ୟମରେ ଓଡ଼ିଆ ପୁରାଣ, ଶାସ୍ତ୍ର ଓ ଧାର୍ମିକ ଚେତନାକୁ ସରଳ ଭାଷାରେ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାରେ ସେ ଥିଲେ ଜଣେ ଧୁରୀଣ କଳାକାର। ତାଙ୍କର ଆକର୍ଷଣୀୟ ଗାୟନ ଶୈଳୀ, ଚମତ୍କାର ଉପସ୍ଥାପନା ଓ ସରଳ-ସୁନ୍ଦର ବ୍ୟାଖ୍ୟା ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖୁଥିଲା। ଏହି ଅନନ୍ୟ ପ୍ରତିଭା ପାଇଁ ସେ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ ଓ ପ୍ରଶଂସିତ ହୋଇଥିଲେ। କୃଷିକର୍ମକୁ ପେଷା ଭାବେ ଗ୍ରହଣ କରିଥିବା ଲିଙ୍ଗରାଜଙ୍କର ନିଶା ଥିଲା କୀର୍ତ୍ତନ ଗାୟନ। ଜୀବନର ଦୀର୍ଘ ସମୟ ସେ କୀର୍ତ୍ତନ ଗାୟନ ଓ ପରିବେଷଣରେ ନିଜକୁ ନିୟୋଜିତ ରଖିଥିଲେ। ତାଙ୍କଠାରୁ ଶିକ୍ଷା ଗ୍ରହଣ କରି ଅନେକ ଶିଷ୍ୟ କୀର୍ତ୍ତନ କଳାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଶିଷ୍ୟ ସୃଷ୍ଟି ଓ କୀର୍ତ୍ତନ କଳାର ପ୍ରସାର ପାଇଁ ମଧ୍ୟ ସେ ବିଭିନ୍ନ ସ୍ଥାନରେ ପ୍ରଶଂସିତ ହୋଇଥିଲେ।
ପରବର୍ତ୍ତୀ ସମୟରେ ସେ ଚାରଣ ଗୋଷ୍ଠୀରେ ସାମିଲ ହୋଇ ଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର-ପ୍ରସାର ପାଇଁ ମଧ୍ୟ ସମୟ ଦେଇଥିଲେ। କୀର୍ତ୍ତନକୁ କେବଳ ମନୋରଞ୍ଜନର ମାଧ୍ୟମ ନକରି ଏହା ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ, ପୁରାଣ ଓ ଆଧ୍ୟାତ୍ମିକ ଚେତନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ।
ଭାରତ ସ୍ୱାଧୀନତା ଲାଭ କରିବାର ଦୁଇ ମାସ ପୂର୍ବରୁ, ଅର୍ଥାତ୍‌ ୧୬ ଜୁନ୍‌ ୧୯୪୭ରେ ଜନ୍ମଗ୍ରହଣ କରିଥିବା ଲିଙ୍ଗରାଜ ଦାସ ଗତ ଜୁଲାଇ ୩୦ ତାରିଖରେ ପ୍ରାୟ ୭୯ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ବିୟୋଗରେ କୀର୍ତ୍ତନ ଗାୟନ ଓ ପରିବେଷଣ କ୍ଷେତ୍ରରେ ଯେଉଁ ଅପୂରଣୀୟ କ୍ଷତି ଘଟିଛି, ତାହା ସହଜରେ ଭରଣା ହେବା ସମ୍ଭବ ନୁହେଁ।
ଆଜି ତାଙ୍କର ଦଶାହ କର୍ମ ଅବସରରେ ଅଞ୍ଚଳବାସୀ, କୀର୍ତ୍ତନପ୍ରେମୀ ଓ ତାଙ୍କର ଅଗଣିତ ଶିଷ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ନୀଳକଣ୍ଠେଶ୍ୱର ମହାଦେବ ତାଙ୍କର ଅମର ଆତ୍ମାକୁ ସଦ୍‌ଗତି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ସାହସ, ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ—ଏହା ହିଁ ସମସ୍ତଙ୍କର କାମନା କରିଥିଲେ।

Leave A Reply

Your email address will not be published.