ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ”ନିୟତି” ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଯୋଗ ଦେଇ ବୃକ୍ଷ ରୋପଣ ପରିବେଶ ପାଇଁ ନିହାତି ଜରୁରୀ ଏବଂ ଏହା କେବଳ ଯୁବପିଢ଼ିଙ୍କ ଚେଷ୍ଟାରେ ହିଁ ସଫଳ ହୋଇପାରିବ ବୋଲି କହିଥିଲେ। ଏତଦ୍ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ଉପରେ ସଚେତନ କରାଯାଇଥିଲା , ଯେଉଁଥିରେ ସାମାଜିକ ଗଣମାଧ୍ୟମର ନିରାପଦ ବ୍ୟବହାର , ବ୍ୟକ୍ତିଗତ ସୂଚନାର ସୁରକ୍ଷା , ସାଇବର ଠକେଇ , ସାଇବର ଧମକ ଏବଂ ଅନ୍ୟାନ୍ୟ ଅନଲାଇନ୍ ବିପଦ ସହ ସଡ଼କ ସୁରକ୍ଷା , ଟ୍ରାଫିକ୍ ନିୟମ ଏବଂ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଅଭ୍ୟାସ ବିଷୟରେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ମାଆ ଯେପରି ନିଜ ଛୁଆର ଲାଳନପାଳନ କରି ମଣିଷ କରିଥାଏ , ସେପରି ଛାତ୍ରଛାତ୍ରୀମାନେ ଚାରା ରୋପଣ କରି ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ।
ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ବୃକ୍ଷର ଉପାଦେୟତା ସମ୍ପର୍କରେ ସବିଶେଷ ଆଲୋଚନା କରି ନିଜ ମାଆଙ୍କ ନାଁ ରେ ଗଛଟିଏ ଲଗାଇ ତା’ର ଉପଯୁକ୍ତ ଦାୟିତ୍ୱ ନେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରବର୍ତାଇ ଥିଲେ।
ଏଆଇଆଇସି ଶ୍ରୀ ବାଲ୍ମୀକି ପ୍ରଧାନ , ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଓ ଯୁବ ରେଡ୍କ୍ରସ ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡା , ଫିଜଥେରପି ର ଅରୁଣ କୁମାର ନାୟକ ପ୍ରମୁଖ ଯୋଗଦେଇ ବନମହୋତ୍ସବ ବିଷୟରେ ଉଦବୋଧନ ଦେଇଥିଲେ। ପ୍ରଗତି ମହିଳା ସଂଗଠନର ସଭାପତି ଶ୍ରୀ ଲୋକନାଥ ମିଶ୍ର କାର୍ଯ୍ୟକ୍ରମ ପରିଶେଷ ରେ ନିଜର ଅଭିଭାଷଣ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଚାରା ରୋପଣ କାର୍ଯ୍ୟକ୍ରମ ନିୟତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ନିୟତି ର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ଜ୍ୟୋତ୍ସନା ଡାକୁଆ , ସୁନିତ ଗମାଙ୍ଗ , ଜୟା ମା , ପୋଲି ସ୍ବାଇଁ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।