ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ୯ ତାରିଖରେ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର

51


ଝାରସୁଗୁଡ଼ା, : ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟି ପକ୍ଷରୁ ଆସନ୍ତା ୯ ତାରିଖ (ରବିବାର) ସହରର ସରବାହାଲ ରୋଡ଼ସ୍ଥିତ ସ୍ୱର୍ଣ୍ଣଭୂମି ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିରର ଆୟୋଜନ କରାଯିବ। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ବିଭିନ୍ନ ରୋଗର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସୁବିଧା ଉପଲବ୍ଧ ହେବ।

ଶୁକ୍ରବାର ସ୍ଥାନୀୟ ମୋହିନୀ ରୟାଲ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ନବୀନ ମିଶ୍ର କହିଥିଲେ ଯେ, ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ଛୋଟବଡ଼ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସମୟୋପଯୋଗୀ ଚିକିତ୍ସା ପରାମର୍ଶ ଯୋଗାଇବା ଏହି ମେଗା ସ୍ୱାସ୍ଥ୍ୟ କାର୍ନିଭାଲର ମୁଖ୍ୟ ଉଦ୍ଦେଶ୍ୟ।

ସେ କହିଥିଲେ ଯେ, ସମ୍ବଲପୁରସ୍ଥିତ ବିଦ୍ୟା ବିକାଶ ପକ୍ଷରୁ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଏହି ଶିବିରରେ ଯୋଗଦେବେ। ଏଥିରେ ହୃଦରୋଗ ବିଶେଷଜ୍ଞ, ସ୍ନାୟୁରୋଗ ବିଶେଷଜ୍ଞ, ଦନ୍ତ ଚିକିତ୍ସକ, ଫିଜିଓଥେରାପିଷ୍ଟ, ଚକ୍ଷୁ ବିଶେଷଜ୍ଞ ଓ ପାଥୋଲୋଜି ବିଶେଷଜ୍ଞମାନେ ଉପସ୍ଥିତ ରହି ରୋଗୀଙ୍କୁ ସେବା ପ୍ରଦାନ କରିବେ।

ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରର ପରିଚାଳନା ଦାୟିତ୍ୱ କ୍ଲବର ମହିଳା ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ସହରବାସୀଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ସୁଯୋଗର ସଦୁପଯୋଗ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଜଣାଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ରୋଟାରୀ କ୍ଲବ ଝାରସୁଗୁଡ଼ା ସିଟିର ପ୍ରତିଷ୍ଠାତା ସଭାପତି ବିକାଶ ବାଧାନ, ଅଶୋକ କେଡିଆ, ସୁନୀଲ କେଡିଆ, ସଞ୍ଜୟ ଲୋଧା, ଫର୍ଷ୍ଟ ଲେଡି ପୂଜା ମିଶ୍ର, ସଙ୍ଗୀତା କେଡିଆ, ପ୍ରକଳ୍ପ ନିର୍ଦ୍ଦେଶକ ରୋଟେରିଆନ୍ ଲିପଟ ଅରୋରା ଓ ଅମିତ କେଡିଆ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.