ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ‘ହର ଘର ତ୍ରିରଙ୍ଗା – ୨୦୨୬’ ଏବଂ ‘ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି’ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପାଳନ କରିବା ନିମନ୍ତେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୈଠକର ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସମିତି ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ଆବଣ୍ଟନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) ମାନଙ୍କ ଦ୍ୱାରା ପ୍ରସ୍ତୁତ ଜାତୀୟ ପତାକାଗୁଡ଼ିକୁ ଆସନ୍ତା ଅଗଷ୍ଟ ୦୮ ତାରିଖ ସୁଦ୍ଧା ସୁରକ୍ଷିତ ଭାବେ ସମସ୍ତ ବ୍ଲକ ଓ ପୌରପାଳିକାକୁ ପହଞ୍ଚାଇବା ପାଇଁ ମିଶନ ଶକ୍ତିର ଡି.ପି.ସି.ଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ସେହିପରି ଅଗଷ୍ଟ ୦୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଅଭିଯାନର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଆସନ୍ତା ଅଗଷ୍ଟ ୧୦ ତାରିଖରେ ନବରଙ୍ଗପୁର ସହରରେ ଡଃ ସଦାଶିବ ପାର୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହେବ, ଯେଉଁଥିରେ ୪୦୦୦ରୁ ୫୦୦୦ ଲୋକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଅଗଷ୍ଟ ୧୨ ତାରିଖରେ ଏକ ତ୍ରିରଙ୍ଗା ବାଇକ୍ ରାଲି ଏବଂ ଅଗଷ୍ଟ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତ୍ରିରଙ୍ଗା ରଙ୍ଗୋଲି ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବ। ଅନ୍ୟପକ୍ଷରେ, ଅଗଷ୍ଟ ୧୪ ତାରିଖରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଅବସରରେ ନବରଙ୍ଗପୁର ନୋଡ଼ାଲ ମହାବିଦ୍ୟାଳୟରେ ଶହୀଦମାନଙ୍କ ସ୍ମୃତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା, କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନୀ ଏବଂ କ୍ୟାଣ୍ଡେଲ ମାର୍ଚ୍ଚ ପାଳନ କରାଯିବ।
ଜିଲ୍ଲାର ସମସ୍ତ ପ୍ରମୁଖ ସରକାରୀ କୋଠା, ହସ୍ପିଟାଲ, ମୁଖ୍ୟ ରାସ୍ତାରେ ତୋରଣ ,ପ୍ରତିମୂର୍ତ୍ତି, ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଆକର୍ଷଣୀୟ ତ୍ରିରଙ୍ଗା ଆଲୋକ ମାଳାରେ ସୁସଜ୍ଜିତ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଅଗ୍ନି ନିରାପତ୍ତା ଓ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ ପ୍ରମୋଦ କୁମାର ପୃଷ୍ଟି ଅତିରିକ୍ତ ଜିଲ୍ଲାପାଳ( ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପିଏ ଆଇଟିଡିଏ ରାଜୀବ ସାହୁ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ ଡିଗା,ଏ ଡି ଏମ ଓ ଡ ସୁକାନ୍ତ ଚନ୍ଦ୍ର ଶତପଥୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବି ଡି ଓ ଉପସ୍ଥିତ ଥିଲେ ।ବୈଠକର ଶେଷରେ ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସଫଳତାର ସହ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।