ଗଜପତି ଜିଲ୍ଲାରେ ବର୍ଷା ଅଭାବରୁ ଚାଷୀ ହତାଶ : ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

12

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଖରିଫ ଋତୁରେ ଗଜପତି ଜିଲ୍ଲାରେ ପର୍ଯ୍ୟାପ୍ତ ବର୍ଷା ନ ହେବାରୁ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳର ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀମାନେ ଧାନ ଚାଷ ଆରମ୍ଭ କରିପାରୁ ନଥିବାରୁ ଗଭୀର ଚିନ୍ତା ଓ ହତାଶାରେ ରହିଛନ୍ତି। ବିଶେଷ କରି କାଶୀନଗର ବ୍ଲକ ଅନ୍ତର୍ଗତ ଖୁରିଗାଁ ଅଞ୍ଚଳରେ ବର୍ଷା ଅଭାବ ଯୋଗୁଁ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳସେଚନ ସମସ୍ୟା ଦୂର କରିବାକୁ ତତ୍କାଳୀନ ସରକାର ବଂଶଧାରା ନଦୀର ୪ ଟି ସ୍ଥାନ ଯଥା :- ସାରା , ବଥବା , କିଡିଗାଁ ୧ , ଓ କିଡିଗାଁ-୨ରେ ୧କୋଟି ୩୨ ଲକ୍ଷ ୩୭ ହଜାର ବ୍ୟୟ ଅଟକଳରେ ମେଗା ଉଠାଜଳସେଚନର ୪ଟି ପାଇଲେଟ ପ୍ରକଳ୍ପ ନିର୍ମାଣ କରିଥିଲେ। ଯେଉଁଥିରେ ମୋଟ ୨୯୧ଟି ଆଉଟଲେଟ ମାଧ୍ୟମରେ ୫୪୧୩ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି, ଫଳରେ ୫୯ ଟି ଗ୍ରାମର ୮୩୪୭ ହିତାଧିକାରୀ ଉପକୃତ ହେବେ। ୨୦୨୪ ପରଠାରୁ ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ, ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଆଉଟଲେଟରୁ ୨୦ ହେକ୍ଟର ଜମି ଜଳସେଚିତ କରିବା ଲକ୍ଷ୍ୟ , ସମ୍ଭବପର ହୋଇ ନଥିଲା। ଜମି ତୁଳନାରେ କମ ସଂଖ୍ୟକ ଆଉଟଲେଟ ଦ୍ବାରା ସମସ୍ତ ଜମିକୁ ଜଳସେଚିତ ହେବାରେ ସମସ୍ୟା ଦେଖାଦେଇଥିଲା , ତେବେ ଗୋଟିଏ ଆଉଟଲେଟରୁ ଗୋଟିଏ ହେକ୍ଟର ଜମିରେ ଗୋଟିଏ ଆଉଟଲେଟ ଦେବା ନିମନ୍ତେ ବିଭାଗ ପକ୍ଷରୁ ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦିଆଯାଇଛି। ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ହେଲେ ଏଯାଏଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ଚଳିତ ବର୍ଷ ଜଳସେଚନରୁ ବଞ୍ଚିତ ହୋଇଛି ହଜାର ହଜାର ହେକ୍ଟର ଜମି ପ୍ରଭାବିତ ହୋଇଛନ୍ତି ଚାଷୀ।
ଏନେଇ ଖୁରିଗାଁ ଚାଷୀମାନେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଧାୟକ ତୁରନ୍ତ ଅଞ୍ଚଳ ପରିଦର୍ଶନ କରି ଜଳସେଚନ , କୃଷି ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ବର୍ଷା ଅଭାବରୁ ସୃଷ୍ଟି ହୋଇଥିବା କୃଷି ସଙ୍କଟ , ଫସଲ କ୍ଷତି ଏବଂ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଧାୟକ ରୂପେଶ ପାଣିଗ୍ରାହୀ କହିଛନ୍ତି ଯେ, ଗଜପତି ଜିଲ୍ଲାର ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗକୁ ଉଠାଇବେ। ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା , ଫସଲ କ୍ଷତିପୂରଣ ଓ ଜଳସେଚନ ବ୍ୟବସ୍ଥାର ଉନ୍ନତି ପାଇଁ ସେ ଦାବି କରିବେ ବୋଲି କହିଛନ୍ତି।
ଚାଷୀମାନଙ୍କ କହିବା ଅନୁସାରେ, ବର୍ଷା ହେଲେ ମଧ୍ୟ ବର୍ଷାଜଳ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ପାଣି ଶୀଘ୍ର ବାହାରି ଯାଉଛି। ଫଳରେ ଜମିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁନାହିଁ ଏବଂ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଞ୍ଚଳରେ ଚେକ୍ ଡ୍ୟାମ , ଜଳାଶୟ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଗଲେ ଚାଷୀମାନେ ବହୁତ ଉପକୃତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଚାଷୀମାନେ ତାଙ୍କ ସମସ୍ୟାକୁ ତୁରନ୍ତ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବାରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ଆଶା ପ୍ରକାଶ କରିଛନ୍ତି ଯେ, ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ସ୍ଥାୟୀ ଜଳସେଚନ ବ୍ୟବସ୍ଥା କଲେ ଗଜପତି ଜିଲ୍ଲାର କୃଷି ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।

Leave A Reply

Your email address will not be published.