ଓଡ଼ଗାଁ, ଶରଣକୁଳ ଅଞ୍ଚଳରୁ ଉପକୃତ ହେବେ ୫୦ ହଜାର ଉପଭୋକ୍ତା
ଓଡ଼ଗାଁ, ୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘବର୍ଷ ଧରି ନୟାଗଡ଼ ଗ୍ରୀଡ୍ରୁ ଓଡ଼ଗାଁକୁ ଆସୁଥିବା ୩୩ କେଭି ବିଦ୍ୟୁତ୍ ଯୋଗାଣ ବାରମ୍ବାର ବାଧାପ୍ରାପ୍ତ ହେଉଥିବା ଯୋଗୁଁ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହେଉଥିବା ଘଟଣା ନିତିଦିନିଆ ପାଲଟି ଯାଇଥିଲା । ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଆଶା ଉଦଯିବିତ ହୋଇଛି। ନୟାଗଡ଼ (ରାଜପାଟଣା)ରୁ ଓଡ଼ଗାଁକୁ ସଂଯୋଗ ହେବାକୁ ଥିବା ନୂତନ ୩୩ କେଭି ଲାଇନ୍ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୬୦ ବର୍ଷ ପୂର୍ବେ ନୟାଗଡ଼ରୁ ଓଡ଼ଗାଁ ଓ ଶରଣକୁଳ ବିଦ୍ୟୁତ୍ ଷ୍ଟ୍ରକଚରକୁ ୩୩ କେଭି ଲାଇନ୍ ସଂଯୋଗ କରାଯାଇଥିଲା। ଇତିମଧ୍ୟରେ ଅଞ୍ଚଳର ଜନସଂଖ୍ୟା ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ବହୁଗୁଣିତ ହୋଇଥିଲେ ମଧ୍ୟ ପୁରୁଣା ଲାଇନ୍ ଆବଶ୍ୟକତା ଅନୁସାରେ ଅପଗ୍ରେଡ୍ ହୋଇପାରିନଥିଲା। ଫଳରେ ସାମାନ୍ୟ ବର୍ଷା, ପବନ ଅଥବା ମରାମତି କାର୍ଯ୍ୟ ସମୟରେ ବିଦ୍ୟୁତ୍ ଯୋଗାଣ ଦିନ ଦିନ ଧରି ବ୍ୟାହତ ହେଉଥିଲା । ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୟାଗଡ଼ରୁ ଓଡ଼ଗାଁକୁ ନୂତନ ୩୩ କେଭି ବିଦ୍ୟୁତ୍ ଯୋଗାଣ ନିମନ୍ତେ ସ୍ବତନ୍ତ୍ର ଲାଇନ୍ ଟଣାଯାଇଥିଲା। ତେବେ ଲାଇନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବାରେ ବହୁ ବିଳମ୍ବ ହେବାରୁ ଉପଭୋକ୍ତାମାନେ ଏହାର ସୁଫଳ ପାଇପାରିନଥିଲେ। ବର୍ତ୍ତମାନ ମାଛିପଡ଼ା ସମେତ ବିଭିନ୍ନ ସ୍ଥାନରେ ଲାଇନ୍ ଟଣା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ନୂତନ ଲାଇନ୍ର ପରୀକ୍ଷାମୂଳକ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସୂଚନା ମିଳିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସବୁଜ ସଙ୍କେତ ମିଳିଲେ ନୂତନ ଲାଇନ୍ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ପ୍ରମୁଖ ଅଞ୍ଚଳ ଓଡ଼ଗାଁ ଓ ଶରଣକୁଳ ନିରନ୍ତର ବିଦ୍ୟୁତ୍ ଯୋଗାଣ ହୋଇପାରିଲେ ଅଞ୍ଚଳର ଉପଭୋକ୍ତା ମାନେ ଆଶ୍ବସ୍ତ ଲାଭ କରିବେ। ଫଳରେ ଅଞ୍ଚଳର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହୋଇପାରିବେ ।