କେନ୍ଦୁଝର ସଦର ବ୍ଲକ ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କ ଅକାଳ ବିୟୋଗ

11


କେନ୍ଦୁଝର,ତା୪/୮-
କେନ୍ଦୁଝର ସଦର ବ୍ଲକ ଅଞ୍ଚଳରେ ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଯାଇଛି। ସଦର ବ୍ଲକ ଉପାଧ୍ୟକ୍ଷଙ୍କ ଅକାଳ ବିୟୋଗ ହୋଇଛି। ତାଙ୍କର ଅକାଳ ନିଧନରେ ସଦର ବ୍ଲକ ଅଞ୍ଚଳ ସହିତ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ କେନ୍ଦୁଝରଗଡ଼ ସହର ସ୍ତବ୍ଧ ପାଲଟି ଯାଇଛି।
ସୂଚନାନୁଯାୟୀ, ସଦର ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା (ଵାପୁଭାଇ) ଅଳ୍ପ କିଛିଦିନ ପୂର୍ବେ ଶାରୀରିକ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ସୋମବାର ସନ୍ଧ୍ୟା ୮ଟା ୩୦ ସମୟରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ଵେଳକୁ ସ୍ବର୍ଗତ ବେହେରାଙ୍କର ୪୩ ବର୍ଷ ବୟସ ହୋଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ସ୍ବର୍ଗତ ଦିଲ୍ଲୀପ କୁମାର ବେହେରା କେନ୍ଦୁଝରଗଡ଼ ସହର ସନ୍ନିକଟ ଡିମ୍ୱୋ ଗ୍ରାମର ନବଘନ ବେହେରାଙ୍କ ବଡ଼ପୁଅ ଏବଂ ଜିଲ୍ଲାର ବିଶିଷ୍ଟ ପରିବହନ ବ୍ୟବସାୟୀ ନନ୍ଦକିଶୋର ବେହେରା ହେଉଛନ୍ତି ସ୍ୱର୍ଗତ ବେହେରାଙ୍କ ସାନଭାଇ। ସେ ୨୦୧୬ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡିମ୍ୱୋ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ ଏବଂ ପୁର୍ନବାର ୨୦୨୧ ମସିହାରେ ସେହି ଡିମ୍ୱୋ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ସଦର ବ୍ଲକର ଉପାଧ୍ୟକ୍ଷ ହୋଇ ଡିମ୍ୱୋ ଗ୍ରାମ ପଞ୍ଚାୟତର ଗୌରଵ ବୃଦ୍ଧି କରିଥିଲେ। ସ୍ବର୍ଗତ ବେହେରାଙ୍କ ପରିବାର କିଛି ବର୍ଷ ହେଲା ଡିମ୍ୱୋ ଗ୍ରାମରୁ ଯାଇ କେନ୍ଦୁଝରଗଡ଼ ସହରର ମାଇନିଂ ରୋଡରେ ଅବସ୍ଥାନ କରୁଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ଯୁବକ ଥିଲେ। ତାଙ୍କର ଏହି ସବୁ ସ୍ୱଭାବ ଯୋଗୁଁ ସ୍ୱଳ୍ପ ବୟସରେ ସେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ। ଭୁବନେଶ୍ବରସ୍ଥ ଘରୋଇ ଡାକ୍ତରଖାନାରେ ସ୍ବର୍ଗତ ବେହେରାଙ୍କ ନିଧନ ହେବାରୁ ତାଙ୍କ ମରଶରୀରକୁ କେନ୍ଦୁଝରଗଡ଼ ସହର ମାଇନିଂରୋଡ ସ୍ଥିତ ବାସଭବନକୁ ପ୍ରଥମେ ଅଣା ଯାଇଥିଲା। ସହରର ତଥା ଜିଲ୍ଲାର ବିଭିନ୍ନ ବ୍ୟକ୍ତି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତା, ସାମ୍ବାଦିକ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ସଂଗଠନର କର୍ମକର୍ତ୍ତା ଏଵଂ ସରକାରୀ ଅଧିକାରୀ ସ୍ବର୍ଗତ ବେହେରାଙ୍କ ବାସଭବନରେ ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ସହସ୍ରାଧିକ ଲୋକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ସଦର ବ୍ଲକ କାର୍ଯ୍ୟାଳୟକୁ ନିଆଯାଇଥିଲା ଏଵଂ ପରେ ନରଣପୁର ନିଆଯାଇ ସେଠାରୁ ଡିମ୍ୱୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ନିଆଯାଇ ତାଙ୍କ ଡିମ୍ୱୋ ଗ୍ରାମସ୍ଥିତ ପୁରୁଣା ବାସଭବନ ଓ ସେଠାରୁ ଡିମ୍ୱୋ ଗ୍ରାମ ଅରଡେଇ ନଦୀକୂଳ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଜିଲ୍ଲାର ବହୁ ରାଜନୈତିକ ବ୍ୟକ୍ତିବିଶେଷ, ବ୍ୟବସାୟୀ, ଶିଳ୍ପପତି, ସାମ୍ବାଦିକ, ଡିମ୍ୱୋ ଗ୍ରାମବାସୀ ଏଵଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ତାଙ୍କର ଏକମାତ୍ର ନାବାଳକ ପୁଅ ଅଙ୍କିତ ମୁଖାଗ୍ନି ପ୍ରଦାନ କରିଥିଲେ। ତାଙ୍କ ମୃତ୍ୟୁରେ ସଦର ବ୍ଲକ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଛି।

Leave A Reply

Your email address will not be published.