ଶରଣକୁଳ ଲଡୁବାବାଙ୍କ ପୂଣ୍ୟ ପୀଠରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ

37


ଓଡ଼ଗାଁ, ୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଠାରେ ବିଜେ ଲଡୁବାବା ମହାଦେବଙ୍କ ଠାରେ ଶ୍ରାବଣ ପ୍ରଥମ ସୋମବାରରେ ୬ ହଜାରରୁ ଉର୍ଦ୍ଧ୍ବ କାଉଡ଼ିଆ ଜଳଲାଗି କଲେ। ରବିବାର ମଧ୍ୟ ରାତ୍ରୀ ପରେ ଠାକୁରଙ୍କ ପହୁଡ଼ ଏବଂ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା।ରାତି ପ୍ରାୟ ଗୋଟିଏ ବେଳୁ କାହାଳୀ ଦ୍ବାର ଦେଇ ପ୍ରଭୁଙ୍କୁ ଜଳଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶିଶୁ ଏବଂ ମହିଳା ମାନଙ୍କୁ ଜଳଲାଗି ପାଇଁ ସୁଯୋଗ ମିଳିବା ପରେ ଅନ୍ୟ ମାନସିକ ଧାରି ଜଳଲାଗି କରିଥିଲେ।ସକାଳ ଘ୯.୩୦ ଠାରୁ ମଧ୍ୟାହ୍ନ ଘ୧୨.୩୦ ପର୍ଯ୍ୟନ୍ତ ଠାକୁରଙ୍କ ଦୈନନ୍ଦିନ ନୀତି ସରିବା ପରେ ଅବଶିଷ୍ଟ କାଉଡ଼ିଆ ମାନେ ଜଳଲାଗି କରିଥିଲେ।ପୂଜକ ସେବାୟତଙ୍କ ୧୨ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମସ୍ତ ନୀତି ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା।ଶରଣକୁଳ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ସେହିପରି ଦୂତୀକେଶ୍ବର ମହାଦେବଙ୍କ ମନ୍ଦିରରେ ରବିବାର ରାତି ସୁଦ୍ଧା ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ୩ ହଜାରରୁ ଉର୍ଦ୍ଧ୍ବ ମାନସିକଧାରୀ କାଉଡ଼ିଆ ଜଳଲାଗି କରିଥିଲେ। ମନ୍ଦିର ପୂଜକ ସେବାୟତ ମାନଙ୍କ ସହଯୋଗ ଏବଂ ଓଡ଼ଗାଁ ପୋଲିସ ପ୍ରଶାସନର ଭିଡ଼ ନିୟନ୍ତ୍ରଣ ଯୋଗୁଁ ଶାନ୍ତି ଶୃଙ୍ଖଳା ସହକାରେ କାଉଡ଼ିଆଙ୍କ ଜଳଲାଗି କାର୍ଯ୍ୟ ସମାପନ ହୋଇଥିଲା।

Leave A Reply

Your email address will not be published.