ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ ଚଳିତ ବର୍ଷ ସର୍ବାଧିକ ୩୧୫.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ଅତ୍ୟଧିକ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇ ଅଣଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତର ଫୁଲେରପାଲି ଗ୍ରାମର ଚାଷୀ ପ୍ରଶାନ୍ତ ଭୋଇ। ଧାନ ପରିବର୍ତ୍ତେ ଅଣଧାନ ଚାଷ କରି ଅଧିକ ଆୟ କରିବା ଆଶାରେ ସେ ଝାରସୁଗୁଡ଼ାରୁ ଉନ୍ନତମାନର ବାଇଗଣ ଚାରା ଆଣି ଡ୍ରିପ୍ ସିଷ୍ଟମ ମାଧ୍ୟମରେ ୧ ଏକର ଜମିରେ ଚାଷ କରିଥିଲେ। ଏଥିପାଇଁ ସେ ପ୍ରାୟ ୯୫ ହଜାର ୩ ଶହ ଟଙ୍କା ବିନିଯୋଗ କରିଥିଲେ।
କିନ୍ତୁ ଲଗାଣ ବର୍ଷା ଓ ଜମିରେ ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ସମ୍ପୂର୍ଣ୍ଣ ବାଇଗଣ ଫସଲ ନଷ୍ଟ ହୋଇଯାଇଛି। ଫଳରେ ତାଙ୍କର ସମସ୍ତ ପରିଶ୍ରମ ଓ ପୁଞ୍ଜି ବିନିଯୋଗ ପାଣିରେ ମିଶିଯାଇଛି। ଏବେ ସେ ଆର୍ଥିକ ସଙ୍କଟରେ ପଡ଼ି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଜେପୁର ତହସିଲ ଅଫିସର ରାଜସ୍ୱ ନିରୀକ୍ଷକ (ଆର୍ଆଇ) ଏବଂ ଉଦ୍ୟାନ କୃଷି (ହର୍ଟିକଲଚର) ବିଭାଗର ଅଧିକାରୀ ପ୍ରଭାବିତ ଚାଷ ଜମିରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ରିପୋର୍ଟ ଆଧାରରେ ସରକାରଙ୍କ ପକ୍ଷରୁ ଯଥୋଚିତ କ୍ଷତିପୂରଣ ମିଳିବ ବୋଲି ଚାଷୀ ଆଶା ପ୍ରକାଶ କରିଛନ୍ତି।”ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଲେ ସୃଷ୍ଟି ନାଶ” ଏହି ପୁରାତନ ଉକ୍ତି ଆଜି ପୁଣିଥରେ ବିଜେପୁର ଅଞ୍ଚଳର ଚାଷୀଙ୍କ ଜୀବନରେ ବାସ୍ତବ ରୂପ ନେଇଛି।ପ୍ରକୃତିର ପ୍ରକୋପରେ ଉଜୁଡ଼ିଯାଇଥିବା ଚାଷୀଙ୍କ ପାଇଁ ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରସା।
Sign in
Sign in
Recover your password.
A password will be e-mailed to you.
Next Post