ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍ ସୃଷ୍ଟି ଉପରେ ଜାତୀୟ ସେମିନାର ଅନୁଷ୍ଠିତ

49


ଭୁବନେଶ୍ୱର, ଜୁଲାଇ ୩୧: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରେ ‘ ଆଟ୍ରାକ୍ଟିଙ୍ଗ ଏନ୍ଟ୍ରପ୍ରେନୁ୍ୟଅର୍ସ ଆଣ୍ଡ ଷ୍ଟାର୍ଟଅପ୍ସ ଟୁ ଦ ଫିସରିସ୍ ସେକ୍ଟର’ ଶୀଷର୍କ ଏକ ସେମିନାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ସେମିନାରରେ ଆଇସିଏଆର- ସେଂଟ୍ରାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫ୍ରେଶୱାଟର ଏଗ୍ରିକଲ୍ଚର (ସିଆଇଏଫ୍ଏ)ର ପ୍ରଧାନ ବୈଜ୍ଞାନିକ ଡକ୍ଟର ନଗେଶ କୁମାର ବାରିକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗିତାର ବ୍ୟାପକ ସମ୍ଭାବନା, ଷ୍ଟାର୍ଟଅପ୍ ପ୍ରତିଷ୍ଠାର ସୁଯୋଗ, ସରକାରଙ୍କ ବିଭିନ୍ନ ସହାୟତା ଯୋଜନା ଏବଂ ନବସୃଜନର ଗୁରୁତ୍ୱ ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ ।
ସେ ଯୁବପିଢ଼ିଙ୍କୁ ନୂତନ ଚିନ୍ତାଧାରା ଓ ନବସୃଜନ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରରେ ସଫଳ ଉଦ୍ୟୋଗୀ ହେବାକୁ ଆହ୍ୱାନ ଦେଇଥିଲେ ।
ସେମିନାରରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସଭାପତିତ୍ୱ କରି କୃଷି ଓ ମତ୍ସ୍ୟ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମର ଆବାହକ ଏବଂ କୃଷି ସଂପ୍ରସାରଣ ବିଭାଗ ମୁଖ୍ୟ ପ୍ରଫେସର ବିବୁଧ ପରାଶର ସେମିନାରର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସହ ମତ୍ସ୍ୟ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିର ବିକାଶ ଏବଂ ନୂତନ ବ୍ୟବସାୟିକ ସୁଯୋଗ ସୃଷ୍ଟିର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଡକ୍ଟର ନଗମା ହାଲିମା ସେକ୍, ସହକାରୀ ଅଧ୍ୟାପିକା, କୃଷି ସଂପ୍ରସାରଣ ବିଭାଗ, ସମଗ୍ର ସେମିନାରର ସଫଳ ସଂଯୋଜନା କରିଥିଲେ ।
ଏହି ସେମିନାରରେ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ, ଅଧ୍ୟାପକ, ପିଏଚ୍ଡି ଗବେଷକ ଓ ଗବେଷଣାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନେ ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀର ସୁଯୋଗ, ବ୍ୟବସାୟିକ ମଡେଲ୍, ନବସୃଜନ ଏବଂ ସରକାରୀ ସହାୟତା ଯୋଜନା ସଂର୍ପକରେ ବିସ୍ତୃତ ଜ୍ଞାନ ଲାଭ କରିଥିଲେ । କାର୍ଯ୍ୟକ୍ରମଟି ଯୁବପିଢ଼ିଙ୍କୁ ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଯୋଗାଇବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା ।

Leave A Reply

Your email address will not be published.