- ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ
- ରାଜ୍ୟରେ ୨୪ ମାସର ବିଜେପି ଶାସନରେ ୨୩ଟି ପ୍ରଶ୍ନପତ୍ର ଲିକ୍
- ବିଜେପି ସରକାର ଆଣିଥିବା ଆଇନ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବାକୁ ଅସମର୍ଥ
- ରାଜ୍ୟ ସରକାର ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଭୁବନେଶ୍ୱର, ୩୧/୦୭/୨୦୨୬: ଏମକେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ବିଜୁ ଜନତା ଦଳ ଆଜି ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଏପରି ପ୍ରଶ୍ନପତ୍ର ପ୍ରଘଟ ଘଟଣା ରାଜ୍ୟରେ ବାରମ୍ୱାର ଘଟୁଛି ବୋଲି କହିଛି । ବିଜେପିର ୨୪ ମାସର ଶାସନରେ ରାଜ୍ୟରେ ୨୩ଟି ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଲାଣି, ଯାହା ସରକାରଙ୍କ ବିଫଳତାକୁ ସୂଚାଉଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ରାଜ୍ୟ ତଥା ଦେଶରେ ପ୍ରଶ୍ନପତ୍ର ଲିକ ଏକ ସାଧାରଣ ଘଟଣା ହୋଇଗଲାଣି । କ୍ରିକେଟରେ ଆୟୋଜିତ ହେଉଥିବା ଆଇପିଏଲ ଲୋକପ୍ରିୟତା ହାସଲ କରିଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବାରୁ, ଏହାକୁ ଇଣ୍ଡିଆନ ପେପର ଲିକ୍ ବା ଆଇପିଏଲ କୁହାଯାଉଛି । ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ଘଟଣା ନିୟମିତ ବ୍ୟବଧାନରେ ଘଟୁଥିବା ବେଳେ, ଓଡିଶା ୟୁନିଭରସିଟି ଅଫ ହେଲଥ ସାଇନ୍ସ (ଓୟୁଏଚଏସ) ଦ୍ୱାରା ଜୁଲାଇ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ର ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ପରୀକ୍ଷା ଚାଲିଥିବା ସମୟରେ, ପ୍ରଶ୍ନପତ୍ର ହ୍ୱାଟ୍ସଆପ ଜରିଆରେ ବିଭିନ୍ନ ମୋବାଇଲରେ ଘୁରି ବୁଲିଥିଲା । ଏହି ପ୍ରଶ୍ନପତ୍ର ପ୍ରଘଟ ସହିତ ଏହାର ଉତ୍ତର ମଧ୍ୟ ମୋବାଇଲରେ ଘୁରି ବୁଲୁଥିଲା ।
ଶ୍ରୀ ପ୍ରତାପ ଜେନା କହିଥିଲେ ଯେ, ଦେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଓ ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ, ରାଜ୍ୟରେ ମେଡିକାଲ ପିଜି ପ୍ରଶପତ୍ର ଲିକ୍ ହେବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ ) ଆଇନ ୨୦୨୪ର ସଂଶୋଧନକୁ ଅନୁମୋଦନ ଦେଇ ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ ୨୦୨୪ ଡିସେମ୍ୱର ୬ ତାରିଖରେ ଏହି ଆଇନକୁ ରାଜ୍ୟ ସରକାର ବିଧାନସଭାରେ ପାରିତ କରିଥିଲେ । ଏହି ଆଇନରେ ପ୍ରଶ୍ନପତ୍ର ଲିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବା ସତ୍ତ୍ୱେ, ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ମାମଲା ଦେଖିବାକୁ ମିଳୁଛି ।
ଶ୍ରୀ ଜେନା ଆହୁରି କହିଥିଲେ ଯେ, ବିଜେପି ସରକାରଙ୍କ ଗତ ୨୪ ମାସର ଶାସନରେ ୨୩ଟି ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବା ଯୋଗୁଁ ଏଭଳି ଘଟଣା ବାରମ୍ୱାର ଘଟୁଛି । ବିଜେଡି ପୂର୍ବରୁ କହିଥିଲା ଯେ, କେବଳ ଆଇନ ତିଆରି କଲେ ହେବ ନାହିଁ, ଏହାକୁ ଦୃଢ଼ତାର ସହିତ କାର୍ଯ୍ୟକାରୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ, ଏଭଳି ଘଟଣାର ପୁନରାବୃତ୍ତି ଘଟିବ । ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ଭଳି ଏକ ସଙ୍ଗୀନ ଅଭିଯୋଗ ଉପରେ ରାଜ୍ୟ ସରକାର ନିରବ ରହିଛନ୍ତି । ଏହା ଉପରେ ସ୍ପଷ୍ଟୀକରଣ ରଖିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।