ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

11
  • “ଶୂନ୍ୟ ମୃତ୍ୟୁହାର ଏବଂ ସର୍ବନିମ୍ନ କ୍ଷୟକ୍ଷତି” ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
  • • ପ୍ରମୁଖ ବ୍ୟାରେଜ ଅଞ୍ଚଳ ଗୁଡିକରେ କାର୍ଯ୍ୟାନୁଷ୍ଠାନ ପାଇଁ 2ଟି ଲେଖାଏଁ PCR ଭ୍ୟାନ ନିୟୋଜିତ କରାଯାଇଛି।
  • ଆଠଗଡ଼ ଉପଖଣ୍ଡରୁ ୧୫୦୦, ବାଙ୍କି ଉପଖଣ୍ଡରୁ ୬୦୦ ଜଣ ଓ କଟକ ସଦର ଅଞ୍ଚରଲୁ ୫୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ କଟକ ମହାନଗର ନିଗମ ଅଞ୍ଚଳରୁ ୧୦୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।
  • • କଟକ ମହାନଗର ନିଗମ ଅଞ୍ଚଳରେ ଗୋଟିଏ NDRF ଦଳ ନିୟୋଜିତ କରାଯାଇଛି।
  • ଆଠଗଡ, ବାଙ୍କି ଓ କଟକ ସଦର ଅଞ୍ଚଳ ପାଇଁ 3ଟି ODRAF ଦଳ ନିୟୋଜିତ କରାଯାଇଛି।
  • କଟକ ମହାନଗର ନିଗମ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ 300 ପାଣି ପମ୍ପ ସ୍ଥାପନ କରାଯାଇଛି।
  • କଟକ ମହାନଗର ନିଗମ ଅଞ୍ଚଳରେ 94ଟି ଆଶ୍ରୟସ୍ଥଳ ଏବଂ ବ୍ଲକ ଅଞ୍ଚଳରେ 29ଟି ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି, ଯେଉଁଥିରେ 25ଟି ଡଙ୍ଗା ଅନ୍ତର୍ଭୁକ୍ତ।
  • ନଦୀ ବନ୍ଧ ତଥା ଘଳିଆ ପଡିବା ଆଶଙ୍କା ଥିବା ସ୍ଥାନ ଗୁଡିକରେ ଆସନ୍ତା 48 ଘଣ୍ଟା ପାଇଁ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ସହିତ ସମନ୍ୱୟରେ ଜଳ ସମ୍ପଦ ବିଭାଗ ଦ୍ବାରା ନଜର ରଖାଯାଉଛି ।
  • • ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବନ୍ଧ ଦୁର୍ବଳ ରହିଥିବା ସୂଚନା ନାହିଁ। ଜାଣି ଶୁଣି କେହି ବନ୍ଧା ଘଳିଆ କରିବା ବା ବନ୍ଧା କାଟିବାକୁ ଚେଷ୍ଟା କରୁଥିବା ନଜର ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


କଟକ, ତା ୩୦.୦୭.୨୦୨୬ ରିଖ – ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ବର୍ତମାନ ମୁଣ୍ଡୁଳି ଦେଇ ପ୍ରାୟ ୯ ଲକ୍ଷ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ନିଷ୍କାସିତ ହେଉଛି ଏବଂ ଆଗାମୀ ସମୟରେ ୯.୫ ରୁ ୧୦ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ଜଳ ପ୍ରବେଶ ଆଶଙ୍କା ରହିଛି । ପୂର୍ବ ବନ୍ୟାର ଅନୁଭୂତିକୁ ଆଧାର କରି ଯେଉଁ ସ୍ଥାନଗୁଡ଼ିକ ଜଳମଗ୍ନ ହୋଇଥିଲା ସେଗୁଡ଼ିକୁ ଚିହ୍ନଟ କରି ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିବା, ଆବଶ୍ୟକ ସ୍ଥଳରେ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନ ଓ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ ବ୍ୟାକ୍-ଅପ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ନିଶ୍ଚିତ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦିବ୍ୟାଙ୍ଗ, ଗର୍ଭବତୀ ମହିଳା, ବୃଦ୍ଧ ଏବଂ ଛୋଟ ଶିଶୁଙ୍କୁ ପ୍ରାଥମିକତା ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୁରୁତ୍ଵ ଦିଆଯିବ । ରିଲିଫ୍ କ୍ୟାମ୍ପରେ ପରିମଳ, ମଶା ନିୟନ୍ତ୍ରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟକର ବ୍ୟବସ୍ଥା ନିଶ୍ଚିତ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ବନ୍ୟା ସମୟରେ ଜଳବାହିତ ରୋଗ ଓ ସାପ କାମୁଡ଼ା ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ସିଏଚସି ଓ ପିଏଚସିରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ଭେନମ୍ ମହଜୁଦ ରଖିବା ସହ ୨୪×୭ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ । ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ୪୮ ଘଣ୍ଟା ମଧ୍ୟରେ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ସରକାରୀ ଗାଡ଼ି ପାଇଁ ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା, ଆରଟିଓଙ୍କୁ ରିଲିଫ୍ ପରିବହନ ପାଇଁ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଳସେଚନ ବିଭାଗକୁ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ବିଶେଷ ନଜର ରଖିବା ସହ ଘାଇ ଓ ଘୋଳିଆ ହେବାର ଆଶଙ୍କା ଥିବା ସ୍ଥାନରେ ବାଲିବସ୍ତା ଓ କର୍ମଚାରୀ ମହଜୁଦ ରହିବାକୁ ନିଷ୍ପତ୍ତି କରାଯାଇଛି । ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସ୍ଥିତି ଉପରେ କଡାନଜର ରଖିବା ସହ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ । ଏସଆରସିଙ୍କ ପକ୍ଷରୁ ଆବଶ୍ୟକ ବୋଟ୍ ଯୋଗାଇ ଦିଆଯାଇଥିବା ବେଳେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ସହ ସବୁବେଳେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କୌଣସି ଛୋଟ ସମସ୍ୟାକୁ ମଧ୍ୟ ଅବହେଳା ନକରି ତୁରନ୍ତ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ସମ୍ପୃକ୍ତ ଅଧିକାରୀ ଅବଗତ କରାଇବେ । ତଳିଆ ରାସ୍ତାଗୁଡ଼ିକରେ ଯାତାୟାତ ବନ୍ଦ କରିବା ତଥା ବିକଳ୍ପ ରାସ୍ତାରେ ଯିବାଆସିବା କରିବା,ଆବଶ୍ୟକ ସ୍ଥାନରେ ପୋଲିସ ମୁତୟନ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଜାରି କରାଯାଇଥିବା କଟକଣା ଅନୁଯାୟୀ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି,ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ସେଲ୍ଫି ନେବା କିମ୍ବା ନଦୀ କୂଳ, ବ୍ୟାରେଜ୍‌ ନିକଟରେ ରହିବା ଉପରେ କଟକଣା,ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାର ଜନସମାଗମ, ସଭା ଓ ଗହଳି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ,ବ୍ୟାରେଜ୍‌, ସେତୁ କିମ୍ବା ନଦୀବନ୍ଧ ଉପରେ ଠିଆ ହୋଇ ବନ୍ୟାଜଳ ଦେଖିବା, ସେଲ୍ଫି କିମ୍ବା ଭିଡିଓ କରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନଦୀକୂଳ, ନିମ୍ନ ଅଞ୍ଚଳ ଓ ନଦୀବନ୍ଧ ନିକଟରେ ଥିବା ସମସ୍ତ ମନ୍ଦିର ଓ ଧାର୍ମିକ ସ୍ଥାନଗୁଡ଼ିକୁ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ନିମ୍ନଅଞ୍ଚଳ ଓ ବନ୍ୟା ପ୍ରବଣ ଅଞ୍ଚଳର ଗୃହପାଳିତ ପଶୁମାନଙ୍କୁ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନ କିମ୍ବା ନିର୍ଦ୍ଦିଷ୍ଟ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ପଶୁଖାଦ୍ୟ ଯୋଗାଇ ଦିଆଯିବ । ଆବଶ୍ୟକୀୟ ନଦୀବନ୍ଧ ଓ ବନ୍ୟା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଏବଂ ପିସିଆର୍ ଭ୍ୟାନ୍ ମୃତୟନ କରାଯିବ । ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୩୦୦ ଜଣ ଆପଦ ମିତ୍ର ପ୍ରସ୍ତୁତ ଅଛନ୍ତି ।

ସିଏମସି ଅଞ୍ଚଳରେ ଥିବା sluis ଗେଟ୍‌ଗୁଡ଼ିକ ଉପରେ ନଜର ରଖି ମହାନଦୀର ଜଳ ସହର ଭିତରକୁ ପ୍ରବେଶ ନ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ରିଙ୍ଗ ରୋଡ ପାର୍ଶ୍ଵରେ ଥିବା ବସ୍ତି ଅଞ୍ଚଳର ବାସିନ୍ଧା ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ବନ୍ୟା ଅଞ୍ଚଳରେ ବିଦ୍ୟୁତ ଟ୍ରାନ୍ସଫର୍ମ ଗୁଡିକରେ ପାଣି ପଶି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି, ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ସମ୍ପର୍କରେ ଆବଶ୍ୟକ ବ୍ୟବସ୍ଥା ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ବନ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା, ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା, ନିୟମିତ ମାଇକିଂ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି “ଶୂନ୍ୟ ମୃତ୍ୟୁହାର ଏବଂ ସର୍ବନିମ୍ନ କ୍ଷୟକ୍ଷତି”। ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କଲେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ

Leave A Reply

Your email address will not be published.