କେନ୍ଦ୍ରାପଡା:31/07(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ହୁ-ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଡେରାବିଶ ବ୍ଲକ୍ ଅନ୍ତର୍ଗତ ଦାନପୁର ଗ୍ରାମରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଖବର। ଲୁଣା ନଦୀର ବନ୍ୟାଜଳ ଦେଖିବାକୁ ଯାଇ ନଦୀ ସ୍ରୋତରେ ଭାସିଯାଇଛନ୍ତି ଜଣେ ମହିଳା। ନିଖୋଜ ମହିଳାଜଣକ ଦାନପୁର ଅଞ୍ଚଳର ଗୌତମ ଦାସଙ୍କ ସ୍ତ୍ରୀ ମନୋରମା ଦାସ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ, ଲଗାଣ ବର୍ଷା ହେତୁ ଲୁଣା ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ମନୋରମା ବନ୍ୟାଜଳ ଦେଖିବା ପାଇଁ ନଦୀ ବ୍ରିଜ୍କୁ ଯାଇଥିଲେ। ତେବେ ବ୍ରିଜ୍ ଉପରେ ଥିବା ସମୟରେ କୌଣସି କାରଣବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ସିଧାସଳଖ ନଦୀ ଭିତରକୁ ଗଳିପଡ଼ିଥିଲେ। ନଦୀରେ ପାଣିର ବେଗ ଅଧିକ ଥିବାରୁ ସେ ମୁହୂର୍ତ୍ତକ ମଧ୍ୟରେ ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ ।ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ସ୍ଥାନୀୟ ପୋଲିସ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିବା ସହ ଉଦ୍ଧାରକାରୀ ଟିମ୍କୁ ଡକାଇଥିଲା। ଉଦ୍ଧାରକାରୀ ଦଳ ନଦୀରେ ନିଖୋଜ ମହିଳାଙ୍କୁ ଖୋଜିବା ପାଇଁ ବ୍ୟାପକ ଅଭିଯାନ ଚଳାଇଛନ୍ତି।
ତେବେ ଖବର ଲେଖାହେବା ସୁଦ୍ଧା ନିଖୋଜ ମହିଳାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ନଦୀରେ ପ୍ରବଳ ଜଳସ୍ରୋତ ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି ।ଏହି ଅଭାବନୀୟ ଘଟଣା ପରେ ଦାନପୁର ସମେତ ଆଖପାଖ ଅଞ୍ଚଳରେ ଗଭୀର ଚିନ୍ତା ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି ।
Sign in
Sign in
Recover your password.
A password will be e-mailed to you.