କିଶୋର ଆଇନ ଓ ଶିକ୍ଷା ମୌଳିକ ଅଧିକାର ଉପରେ ଆଲୋଚନାଚକ୍ର

36


ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର)
: ନୟାଗଡ଼ ଜିଲ୍ଲା ଓଡ଼ଗାଁ ସେଣ୍ଟ ଜାଭିୟର ବିଦ୍ୟାଳୟ ପରିସରରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘କିଶୋର ଆଇନ ଓ ଶିକ୍ଷା ଏକ ମୌଳିକ ଅଧିକାର’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥି ଓ ଆଇନଜୀବୀ ଯୋଗଦେଇଥିଲେ।
ସଭାରେ ଦେୱାନୀ (ବରିଷ୍ଠ) ବିଭାଗ ବିଚାରପତି ରାଜେନ୍ଦ୍ର ଦାସ, ଦେୱାନୀ (କନିଷ୍ଠ) ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ବିଚାରପତି ଏସ୍‌.ଆର୍‌. ତୋଷାଳୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରୀନା ପ୍ରଧାନ, ବିଦ୍ୟାଳୟ ପରିଚାଳକ ମନୋଜ ନାୟକ, ଓକିଲ ସଂଘ ସମ୍ପାଦକ ଚିରଞ୍ଜୀବୀ ଦାଶ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ ଓ ଇନ୍ଦୁଭୂଷଣ ମିଶ୍ର, ସରକାରୀ ଆଇନଜୀବୀ ବସନ୍ତ କୁମାର ମହାନ୍ତି ଓ ଚିତ୍ତରଞ୍ଜନ ଦାଶଙ୍କ ସମେତ ଅନ୍ୟ ଆଇନଜୀବୀ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବକ୍ତାମାନେ ୬ରୁ ୧୪ ବର୍ଷ ବୟସର ଶିଶୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ କିଶୋର ଆଇନର ବିଭିନ୍ନ ଦିଗ, ଶିଶୁଙ୍କ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପରିବାର, ସମାଜ ଓ ବିଦ୍ୟାଳୟରେ ଶୃଙ୍ଖଳିତ ତଥା ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କ ପ୍ରିୟଭାଜନ ହେବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ। ତାଲୁକ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.