ସାମର୍ଥ୍ୟର ସୂତାଖିଅ: ଓଡ଼ିଶାର ଚାନ୍ଦୁଆ କଳାକୁ ଜୀବନ୍ତ ରଖି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛନ୍ତି ଚନ୍ଦ୍ରକାନ୍ତି ଜେନା

39

ବାଲେଶ୍ଵର, ଜୁଲାଇ ୨୪,୨୦୨୬: ଅନେକ ବର୍ଷ ଧରି ହାତକାମ ଓ ସିଲେଇ କେବଳ ଏକ କଳା ଥିଲା, ଯାହାକୁ ବାଲେଶ୍ଵର ଜିଲ୍ଲା ଶ୍ରୀରାମପୁର ଗ୍ରାମର ୫୨ ବର୍ଷୀୟା କାରିଗର ଚନ୍ଦ୍ରକାନ୍ତି ଜେନା ନିଷ୍ଠାର ସହ କରିଆସୁଥିଲେ । ଆଜି ସେହି କଳା ଏକ ସଫଳ ଉଦ୍ୟୋଗରେ ପରିଣତ ହୋଇ ଗ୍ରାମାଞ୍ଚଳର ଅନେକ ମହିଳାଙ୍କ ଜୀବିକାର ପନ୍ଥା ସାଜିଛି । ୨୦୧୨ରେ ଜିଲ୍ଲା ଶିଳ୍ପ କେନ୍ଦ୍ରରୁ ଛଅ ମାସର ପ୍ରଶିକ୍ଷଣ ନେଇ ସେ ଚାନ୍ଦୁଆ କାମ ଆରମ୍ଭ କରିଥିଲେ । ତଥାପି, ଗ୍ରାମାଞ୍ଚଳର ଅନ୍ୟ କାରିଗରଙ୍କ ଭଳି ପାରମ୍ପରିକ ଡିଜାଇନ୍ ଓ ସୀମିତ ସ୍ଥାନୀୟ ବଜାର ଯୋଗୁଁ ଆଗକୁ ବଢ଼ିବାରେ ଆହ୍ୱାନ ସୃଷ୍ଟି ହୋଇଥିଲା।

୨୦୨୩ ମସିହାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଡିଜାଇନ୍ ଓ ଉତ୍ପାଦ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହା ତାଙ୍କୁ ଆଧୁନିକ ଡିଜାଇନ୍, ଉତ୍ପାଦ ବିବିଧତା ଏବଂ ବଜାରମୁଖୀ ଚିନ୍ତାଧାରା ସହ ପରିଚିତ କରାଇଥିଲା । ଆଜି ଚନ୍ଦ୍ରକାନ୍ତି ଗୃହସଜ୍ଜା ସାମଗ୍ରୀ, ବେଡସିଟ୍, କୁସନ୍ କଭର, ବ୍ୟାଗ୍, ପର୍ସ ଓ ରାଖୀ ଭଳି ଉତ୍ପାଦ ସହ ସ୍କୁଲ୍ ୟୁନିଫର୍ମ ଏବଂ କଷ୍ଟମାଇଜଡ୍ ଚାନ୍ଦୁଆ ସାମଗ୍ରୀର ଏକା
ଥରକେ ବହୁ ପରିମାଣର ଅର୍ଡର ମଧ୍ୟ ଯୋଗାଉଛନ୍ତି ।

ନିଜର ଉଦ୍ୟୋଗ ଗଢ଼ିବା ସହ ସେ ‘ସୁବର୍ଣ୍ଣ ସହେଲୀ ଆପ୍ଲିକ୍ ପ୍ରୋଡ୍ୟୁସର ଗ୍ରୁପ୍’ ଗଠନ କରି ପ୍ରାୟ ୬୦ ଜଣ ମହିଳା କାରିଗରଙ୍କୁ ଏକାଠି କରିଛନ୍ତି। ସେ ନିଜେ ୩୦ ଜଣଙ୍କୁ ତାଲିମ ଦେଇଥିବା ବେଳେ ୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କଞ୍ଚାମାଲ ସଂଗ୍ରହରୁ ସିଲେଇ ଓ ଫିନିସିଂ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଯୋଗଦାନ ଦେଉଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନରୁ ଅତ୍ୟାଧୁନିକ ଏମ୍ବ୍ରୋଇଡରୀ ମେସିନ୍, ତାଲିମ ଏବଂ ବଜାର ସଂଯୋଗ ମିଳିବା ପରେ ତାଙ୍କ ଉତ୍ପାଦ ଏବେ ମିଶନ ଶକ୍ତି ବଜାର ସମେତ ଦିଲ୍ଲୀ, ବେଙ୍ଗାଲୁରୁ ଓ ପୁଣେରେ ବିକ୍ରି ହେଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଉଦ୍ୟୋଗର ବାର୍ଷିକ କାରବାର ପ୍ରାୟ ୩୮ ଲକ୍ଷ ଛୁଇଁଥିବା ବେଳେ୨୬ ଲକ୍ଷର ଲାଭ ହୋଇଛି। ଚନ୍ଦ୍ରକାନ୍ତି ନିଜେ ମାସକୁ ୧୫,୦୦୦ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛନ୍ତି ।

ପ୍ରଯୁକ୍ତିବିଦ୍ୟା ମଧ୍ୟ ତାଙ୍କ ଯାତ୍ରାକୁ ସହଜ କରିଛି। ଫାଉଣ୍ଡେସନ୍ ସହାୟତାରେ ନୂଆଦିଲ୍ଲୀରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍’ରେ ଯୋଗ ଦେଇ ସେ ବଜାର ଚାହିଦା, ଡିଜାଇନ୍ ଓ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ଶିଖିଛନ୍ତି । ପ୍ରଥମ ଥର ବିମାନ ଯାତ୍ରାର ଅନୁଭୂତିକୁ ସେ ଗର୍ବର ସହ ମନେ ପକାନ୍ତି । ସ୍ୱାମୀ ବ୍ରେନ୍ ଷ୍ଟ୍ରୋକର ଶିକାର ହେବା ପରେ ଏହି ଉଦ୍ୟୋଗ ହିଁ ତାଙ୍କ ପରିବାରକୁ ସାହାରା ଦେଇଥିଲା ।

“ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମୋତେ ସବୁ ପଦକ୍ଷେପରେ ସାହାଯ୍ୟ କରିବା ସହ ମୋ ଆତ୍ମବିଶ୍ୱାସ ବୃଦ୍ଧି କରିଛି,” ବୋଲି ଚନ୍ଦ୍ରକାନ୍ତି କହନ୍ତି । ଆଗକୁ ସେ ୧୫୦-୨୦୦ ଜଣ ମହିଳାଙ୍କୁ ତାଲିମ ଦେଇ ଏକ ବଡ଼ କାରିଗର କ୍ଲଷ୍ଟର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ଦର୍ଶାଉଛି ଯେ ସଠିକ୍ ସୁଯୋଗ ମିଳିଲେ ପାରମ୍ପରିକ ଦକ୍ଷତା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ।

Leave A Reply

Your email address will not be published.