ଅଞ୍ଚଳବାସୀଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନର ଆଶ୍ୱାସନ
କାଶୀପୁର: ରାୟଗଡା ଜିଲ୍ଲାପାଳ ଆଜି କାଶୀପୁର ବ୍ଲକ ପୋଡ଼ାପାଡ଼ି ପଞ୍ଚାୟତ ଅନ୍ତର୍ଗତ କଂସାରୀଗୁଡାରେ ନିର୍ମାଣାଧୀନ ଆଦିତ୍ୟ ଆଲୁମିନା ରିଫାଇନାରୀ ପ୍ରକଳ୍ପ ଅଞ୍ଚଳ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପୋଡ଼ାପାଡ଼ି ନିରାଗଶାଳା, ଆର୍.ଆର୍. କଲୋନୀ, ପୁହୁଣ୍ଡି ଏବଂ ନୂଆସାହି ଗ୍ରାମ ଏବଂ ପୂହୁଣ୍ଡି, ବାକାମ୍ବ, କୋଡୀଙ୍ଗା ମାଙ୍କଡଝୋଲା ଏବଂ ସ୍କୁଲ ଗୁଡାକ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଜିଲ୍ଲାପାଳ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ମୌଳିକ ସୁବିଧା ଯୋଗାଇବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। କମ୍ପାନୀ ପକ୍ଷରୁ ମଧ୍ୟ ଅଞ୍ଚଳବାସୀଙ୍କ ସୁବିଧା ଓ ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।
ଗସ୍ତ ସମୟରେ ଜିଲ୍ଲାପାଳ ନୂଆସାହିର ବୟସ୍କ ବ୍ୟକ୍ତିମାନଙ୍କ ସହ କଥା ହୋଇ ସେମାନେ ନିୟମିତ ଭାବେ ସରକାରୀ ଭତ୍ତା ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ରାସନ)ର ସୁବିଧା ପାଉଛନ୍ତି କି ନାହିଁ ତାହା ବୁଝିଥିଲେ। ସେହିପରି ସ୍ଥାନୀୟ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ସରକାରୀ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଓ ପୋଷଣ ସେବା ଠିକ୍ ସମୟରେ ମିଳୁଛି କି ନାହିଁ, ସେ ଏନେଇ ମଧ୍ୟ ସମୀକ୍ଷା କରିଥିଲେ।
ଏହି ଅବସରରେ ଅଞ୍ଚଳବାସୀ ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବିକା ଏବଂ ପ୍ରକଳ୍ପ ପ୍ରଭାବିତ ପରିବାରମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣି ସମ୍ପୃକ୍ତ ବିଭାଗ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ପର୍ଯ୍ୟାୟକ୍ରମେ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏଭଳି ସିଧାସଳଖ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରଶାସନ ଲୋକଙ୍କ ବାସ୍ତବ ସମସ୍ୟା ବୁଝିପାରୁଛି। ସେମାନେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ଗସ୍ତ ପରେ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ବିକାଶ, ମୌଳିକ ସୁବିଧା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଅଧିକ ଗତିଶୀଳ ହେବ।