ଅନେକ ଗାଁ ଯୋଗାଯୋଗରୁ ବିଛିନ୍ନ, ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା
କେନ୍ଦୁଝର: ୨୭/୦୭/୨୦୨୬- ଗତକାଲି ରାତ୍ରି ଠାରୁ ଆରମ୍ଭ କରି ଆଜି ଦିନ ତମାମ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କାଣିଝର ନଦୀରେ ଭୀଷଣ ଆକାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅନେକ ଗାଁ ଯୋଗାଯୋଗରୁ ବିଛିନ୍ନ ହୋଇପଡ଼ିଛି। ତା’ ସହିତ, ନଦୀଜଳ ମାଡି ଯିବାରୁ, ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଉପର ମୁଣ୍ଡରେ ପାହାଡିଆ ଅଞ୍ଚଳରେ ଥିବା ଗୋନାସିକା, ବରହାଗଡ, ଯନ୍ତାରୀ ପ୍ରଭୃତି ଗାଁରେ ପ୍ରବଳ ବର୍ଷା ଯୋଗୁଁ କାଣିଝର ନଦୀରେ ଭୀଷଣ ଆକାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କାବେରୀ ପଶି , ନୂଆଗାଁ, କୁଣ୍ଢେଇ, ନିତ୍ୟାନନ୍ଦ ପୁର, ବଲାଣିପଶି, ଧାନବେଣି ପ୍ରଭୃତି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜୁଙ୍ଗା – ଉକୁଚାବେଡା ରାସ୍ତାର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପାଞ୍ଚ – ଛଅ ଫୁଟ ଉଚ୍ଚରେ ପ୍ରଭାହିତ ହେଉଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଗାଈ, ଛେଳି, ମେଣ୍ଢା ପ୍ରଭୃତି ଗୃହ ପାଳିତ ପଶୁ ଘରୁ ବାହାରି ପାରି ନାହାନ୍ତି। ସେମାନଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇବା କଷ୍ଟକର ହୋଇ ପଡିଛି। ଭୋକରେ ପଶୁ ଜଗତ। କେବଳ ସେତିକି ନୁହେଁ, ଦିନ ମଜୁରିଆ ଙ୍କ ଦୈନିକ ରୋଜଗାର ମଧ୍ୟ ବାଧାପ୍ରାପ୍ତ ହୋଇଛି।
କାଣିଝର ନଦୀର ବନ୍ୟା ଜଳ ମାଡିବା ସାଙ୍ଗକୁ ନିକଟସ୍ଥ ନାଳ ପାଣି ନଦୀକୁ ଖଲାସ୍ ହୋଇ ନ ପାରିବାରୁ, ଏହା ଚାଷ ଜମି ଉପରେ ମାଡି ଯାଇଛି। ଆଗାମୀ ଦୁଇ ତିନି ଦିନ ଭିତରେ ମଧ୍ୟ ବର୍ଷା ଜଳ ଧାନ କ୍ଷେତରୁ ନିଷ୍କାସିତ ହେବାର ସମ୍ଭାବନା କମ୍ ରହିଛି। ଫଳତଃ ଶହ ଶହ ହେକ୍ଟର ଧାନ କ୍ଷେତ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହା ଜୁଙ୍ଗା, ବକ୍ସି -ବାରିଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳର ଚିତ୍ର। ଆଦିବାସୀ ବହୁଳ ଇଲାକା। ପ୍ରାୟ ସମସ୍ତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଏଠାକାର ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବଞ୍ଚନ୍ତି। ଲଗାଣ ବର୍ଷା ଓ ବନ୍ୟା ରଚିଥିବା ତାଣ୍ଡବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏଇ ମାତ୍ର କେତୋଟି ଦିନ ତଳେ ଧାନ ଚାରା ରୋଇବା କାର୍ଯ୍ୟ ଶେଷ ହୋଇଛି।
ସରକାର ତୁରନ୍ତ ଏହାର ସମୀକ୍ଷା କରି, ଚାଷ କ୍ଷୟକ୍ଷତିର ଆକଳନ କରି, କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।