ଭକ୍ତ ପାଇଲେ ନୀଳାଚଳ ଅବଢା

34

ପୁରୀ , ୨୮/୭: ନୀଳାଦ୍ରିନାଥ ରଥାଯାତ୍ରା ଲୀଳାଖେଳା ସାରି ସୋମବାର ରାତିରେ ନୀଳକନ୍ଦରକୁ ଯାଇ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିର ପୁଣି ଲାଗିଲା ଗହଳିଚହଳି । ୧୨ ଦିନଧରି ରୋଷଘରେ ଅବଢା ପ୍ରସ୍ତୁତି ହୋଇନଥିଲା । ମଙ୍ଗଳବାର ମହାପ୍ରସାଦ ନୀଳାଚଳ ଅବଢା ଭାବେ ଭକ୍ତ ମାନେ ପାଇଛନ୍ତି । ଅପରାହ୍ନ ୨ଟା୫୦ରେ ରୋଷହୋମ, ୩ଟାରେ ବେଶ ଶେଷ, ୩ଟା୨୫ରେ ସ୍ବର୍ଯ୍ଯପୂଜା, ୩ଟା୪୫ରେ ଦ୍ବାରପାଳ ପୂଜା, ୪ଟାରେ ଗୋପାଳବଲ୍ଲଭ ପୂଜା, ୪ଟା୪୦ରେ ସକାଳଧୂପ ଡାକିଗଲେ, ୪ଟା ୫୫ରେ ସକାଳ ଧୂପ ଛେକ ଓ ଭୋଗ ମଣ୍ଡପ ଉଠିଥିଲା । ୫ଟାରେ ସକାଳଧୂପ ପୂଜା ଓ ୫ଟା୩୫ରେ ସକାଳଧୂପ ଟେରା ବନ୍ଧା ହୋଇଥିଲା । ଭକ୍ତ ପାଇଲେ ନୀଳାଚଳ ଅଭଢା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦାରୁବ୍ରହ୍ମଙ୍କ ଦର୍ଶନ କରିଛନ୍ତି । ମଙ୍ଗଳବାର ଭକ୍ତମାନେ ନୀଳାଚଳ ଅବଢା ପାଇଛନ୍ତି । ସୋମବାର ନୀଳାଦ୍ରି ବିଜେ ପରେ ପ୍ରଥମ ଅଭଢା ବାହାରିଛି । ଶ୍ରୀମନ୍ଦିର ରୋଷଘର ବାର ଦିନ ଖାଲି ପଡିବା ପରେ ଚୁଲି ଗୁଡିକ ଶୁଦ୍ଧପୁତ ଭାବେ ନିର୍ମାଣ କରାଯାଇ ସୁପକାର ମାନେ ମହାପ୍ରସାଦ ପ୍ରସ୍ତୁତି କରିଥିଲେ । ଆଜି ଠାରୁ ଷାଠିଏ ପଉଟି ଭୋଗ ପ୍ରସ୍ତୁତି ଆରମ୍ଭ ହୋଇଛି । ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ରତ୍ନବେଦିରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଛନ୍ତି । ସାଧାଅନ୍ନ, ମିଠାଅନ୍ନ, ଘିଅଅନ୍ନ,ଖେଚୁଡି କାନିକା, ସାଧାଡାଲି, ମିଠାଡାଲି, ଡାଲେମା ,ମସଲା ଡାଲେମା, ବେସର, ମହୁର, କଦଳୀ ,ଶାଗ ଭଜା, ପୋଟଳ ତରକାରୀ , ଫାଳସୋଲା ତରକାରୀ , ଗଜାମୁଗ ତରକାରୀ,ସନ୍ତୁଳା, ଜହ୍ନି ରାଇତା ଆଦି ମହାପ୍ରସାଦ ସେବନ କରି ଭକ୍ତ ତୃପ୍ତ । ପ୍ରଥମ ଅଭଢା ପାଇବା ପାଇଁ ଶ୍ରୀକ୍ଷେତ୍ର ବାସୀଙ୍କ ନାହିଁ ନଥିବା ଭିଡ ଲାଗିଥିବା ପରିଲିକ୍ଷିତ ହୋଇଛି । ମହାପ୍ରସାଦ ବାହକକାରୀ ମାନେ ବେତାରେ ନୀଳାଚଳ ଅଭଢା ଧରି ଉତ୍ତର ଦ୍ବାର ଦକ୍ଷିଣ ଦ୍ୱାର ଦେଇ ବାହାରୁଥିବା ଦେଖିବାକୁ ମିଳିଥିଲା । ଅଭଢା ନେବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ଅଭଢା ସେବନ କରି ଆତ୍ମତୃପ୍ତି ପାଇଛନ୍ତି ଭକ୍ତ । ଭକ୍ତମାନେ ଘରକୁ ଅଭଢା ନେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.