🔹🔹🔹🔹🔹🔹🔹
ତୋ ଡୋରୀ ଲଗେଇ ନୀଳାଚଳ ଧାମ
ନେଇ ଯାଆ ଥରେ କାଳିଆ ମୋତେ
ମନମୋହନରେ କଳାବଦନରେ
ଜୀବନଠୁ ଭଲ ପାଏ ମୁଁ ତୋତେ ।।
ତୋହରି ଭକତ ଦାସିଆ ବାଉରୀ
ପଦଧୂଳିକି ମୁଁ ନୁହଁଇଟି ସରି
ଭକତିରେ ଦେଲା ଆମ୍ବ ନାରିକେଳ
ଶ୍ରୀ ନୀଳଚକ୍ରରୁ ନେଲୁ ହାତେ ଧରି
ଭକତ ବତ୍ସଳ ତୁହିରେ କାଳିଆ
ଭକତି ଟିକିଏ ଦେ ତୁ ମୋତେ
ମନ ମୋହନରେ……….।।
ଅଟକାଇ ଦେଲୁ ନନ୍ଦିଘୋଷ ରଥ
ଶୁଣିଲୁ ଯେବେ ତୁ ସାଲବେଗ ଡାକ
ଭକତ ଲାଞ୍ଛନା ଦେଲା ତୋତେ ଦୁଃଖ
ବାଲି ରଥେ ତାର ହୋଇଲୁ ଅଟକ
ବନ୍ଧୁ ମହାନ୍ତିକୁ ଯାଚି ଦେଲୁ ଅନ୍ନ
ଭୋଗ ଥାଳି ଆଣି ଆପଣା ହାତେ
ମନ ମୋହନରେ……….. ।।
ଜଗତରେ ନାହିଁ ଏମିତି ଠାକୁର
ପତିତପାବନ ବାନା ଉଡ଼େ ଯାର
ପତିତ ଡାକିଲେ ହୋଇଣ ଆତୁର
କୋଳେଇ ନିଏ ସେ କରି ଆପଣାର
ମୁଁ ଜଣେ ପତିତ ନୁହଁଇ ଭକତ
ଭକତି ଟିକିଏ ଦେରେ ମୋତେ
ମନ ମୋହନରେ………. ।।
🔹🔹🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି