ଝାରସୁଗୁଡ଼ା ରେଳ ଷ୍ଟେସନର ସମସ୍ୟା ନେଇ ରେଳମନ୍ତ୍ରୀଙ୍କୁ ଦୀପାଳି ଦାସଙ୍କ ଚିଠି

0 23

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଜରୁରୀ ହସ୍ତକ୍ଷେପ ଦାବି


ଝାରସୁଗୁଡ଼ା, ୨୭/୭: ଝାରସୁଗୁଡ଼ା ରେଳ ଷ୍ଟେସନରେ ଦୀର୍ଘଦିନ ଧରି ଲାଗିରହିଥିବା ଯାତ୍ରୀ ସେବା ଓ ଭିତ୍ତିଭୂମିଗତ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୋମବାର ଏକ ପତ୍ର ଲେଖି ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏହା ପୂର୍ବରୁ ଗତ ଜୁଲାଇ ୨୫ ତାରିଖରେ ବିଜେଡିର ଏକ ପ୍ରତିନିଧି ଦଳ ଝାରସୁଗୁଡ଼ା ଷ୍ଟେସନ ମ୍ୟାନେଜରଙ୍କୁ ଏହି ସମ୍ପର୍କରେ ଦାବିପତ୍ର ପ୍ରଦାନ କରିଥିଲା। ଏବେ ପୂର୍ବତନ ବିଧାୟିକା ସିଧାସଳଖ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଛନ୍ତି।

ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନୂତନ ରେଳ ଲାଇନ୍‌ ନିର୍ମାଣ ଯୋଗୁଁ ବିକଳ୍ପ ଫୁଟ୍ ଓଭରବ୍ରିଜ୍‌ଟି ଅତ୍ୟଧିକ ଲମ୍ବା ହୋଇଥିବାରୁ ବରିଷ୍ଠ ନାଗରିକ, ରୋଗୀ ଓ ଦିବ୍ୟାଙ୍ଗ ଯାତ୍ରୀମାନେ ବେଶ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ ପ୍ରବେଶ ପଥ ବନ୍ଦ ରହିଥିବା ସହ ବର୍ଷାଜଳ ଓ ନିର୍ମାଣ ସାମଗ୍ରୀ ଯୋଗୁଁ ଯାତ୍ରୀମାନେ ଖସିପଡ଼ିବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ରାମ୍ପ, ଏସ୍କାଲେଟର, ଲିଫ୍ଟ କିମ୍ବା ବ୍ୟାଟେରୀଚାଳିତ ଯାନର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

ଏହାସହ ସମସ୍ତ ପ୍ଲାଟଫର୍ମରେ ବିଶୁଦ୍ଧ ପାନୀୟ ଜଳର ଅଭାବ, ଶୌଚାଳୟ ଓ ପ୍ରତୀକ୍ଷାଳୟରେ ଜଳ ଯୋଗାଣ ବ୍ୟବସ୍ଥା ନ ଥିବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା କଥା ମଧ୍ୟ ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

ଚୌକିପଡ଼ା ଓ ବେହେରାମାଲ ରେଳ ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିଲେ ମଧ୍ୟ ଶେଷ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଉଗ୍ର ରୂପ ନେଉଥିବା ଦର୍ଶାଇଛନ୍ତି। ସେହିପରି ଝାରସୁଗୁଡ଼ା–ଗୋନ୍ଦିଆ ପାସେଞ୍ଜର, ଝାରସୁଗୁଡ଼ା–ରାଞ୍ଚି (ହାଟିଆ) ପାସେଞ୍ଜର ଏବଂ ସମ୍ବଲପୁର–ଝାରସୁଗୁଡ଼ା–ରାଉରକେଲା ମେମୁ ଟ୍ରେନ୍‌ ବାରମ୍ବାର ବାତିଲ ହେଉଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ଗୁଡ଼ିକୁ ନିୟମିତ ଚଳାଚଳ କରାଇବାକୁ ସେ ଦାବି କରିଛନ୍ତି।

ଟ୍ରେନ୍‌ଗୁଡ଼ିକ ଘଣ୍ଟା ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଅଟୋ ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ଏବଂ ପ୍ଲାଟଫର୍ମ ନମ୍ବର–୧ରେ ସମ୍ପୂର୍ଣ୍ଣ ସେଡ୍‌ ନିର୍ମାଣ କରିବାକୁ ମଧ୍ୟ ପତ୍ରରେ ଅନୁରୋଧ କରାଯାଇଛି।

ଝାରସୁଗୁଡ଼ା ରେଳ ଷ୍ଟେସନର ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ବୋଲି ଦୀପାଳି ଦାସ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ପତ୍ରର ନକଲ ଚକ୍ରଧରପୁର ରେଳ ଡିଭିଜନର ଡିଆରଏମ୍‌ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ ପଦକ୍ଷେପ ପାଇଁ ପଠାଯାଇଛି।

Leave A Reply

Your email address will not be published.