୪୬ଟି ଅଭିଯୋଗର ଶୁଣାଣି, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ରାଜବୋଡ଼ାସମ୍ବର୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ କୁଲୁ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ ଏବଂ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର୍ ଦେବତା ଓ ଅନ୍ୟ ଜିଲ୍ଲା ତଥା ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଉକ୍ତ ଶିବିରରେ ସହରରେ ଟ୍ରାଫିକ ସମସ୍ୟା, ଜମି ବିବାଦ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା, ରାସ୍ତା ନିର୍ମାଣ ଏବଂ କୃଷି ସମ୍ବନ୍ଧୀୟ ସମସ୍ୟା ନେଇ ସମୁଦାୟ ୪୬ ଗୋଟି ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୩୭ ଗୋଟି ବ୍ୟକ୍ତିଗତ ଏବଂ ୯ ଗୋଟି ସାମୂହିକ ଅଭିଯୋଗ ରହିଥିଲା। ଆସିଥିବା ସମସ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।