ସିଂହଦ୍ୱାରରେ ପ୍ରେମ ଓ ପରମ୍ପରାର ଦୃଶ୍ୟ: ରସଗୋଲାରେ ମାନ ଭଞ୍ଜନ

0 40


ପୁରୀ, ୨୭/୦୭:
ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପରିସମାପ୍ତି ଘଟିବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ପବିତ୍ର ନୀଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରି ରତ୍ନସିଂହାସନରେ ବିରାଜମାନ ହେବେ। ତେବେ ଏହି ଦିନର ସବୁଠୁ ଆକର୍ଷଣୀୟ ଓ ଭାବବିହ୍ୱଳ କରୁଥିବା ପରମ୍ପରା ହେଉଛି ସିଂହଦ୍ୱାରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ସାଆନ୍ତାଣୀ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ନୀତି।
ରଥଯାତ୍ରାର ନଅ ଦିନ ଧରି ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ଚତୁର୍ଦ୍ଧା ମୂର୍ତ୍ତି। ଅପରାହ୍ନରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ। ଏହି ଅଲୌକିକ ପହଣ୍ଡି ଦର୍ଶନ ପାଇଁ ସିଂହଦ୍ୱାରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ।
ନୀଳାଦ୍ରି ବିଜେର ସବୁଠୁ ନିଆରା ଆକର୍ଷଣ ହେଉଛି ମାଆ ସାଆନ୍ତାଣୀ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ନୀତି। ପରମ୍ପରା ଅନୁଯାୟୀ, ରଥଯାତ୍ରାରେ ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନରେ ରୁଷି ରହିଥାନ୍ତି। ଶ୍ରୀମନ୍ଦିରର ସିଂହଦ୍ୱାରରେ ପହଞ୍ଚିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଅର୍ପଣ କରି ମାଆ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରନ୍ତି। ପ୍ରେମ, ଅଭିମାନ ଓ ଆପଣାପଣର ଏହି ଅନନ୍ୟ ଲୀଳା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅମୂଲ୍ୟ ପରମ୍ପରା ଭାବେ ପରିଚିତ।
ରସଗୋଲାରେ ମାନ ଭଞ୍ଜନ ପରେ ମହାପ୍ରଭୁଙ୍କ ପାଇଁ ଖୋଲିଯାଏ ଶ୍ରୀମନ୍ଦିରର ଦ୍ୱାର। ଏହାପରେ ଚତୁର୍ଦ୍ଧା ମୂର୍ତ୍ତି ରତ୍ନସିଂହାସନରେ ବିରାଜମାନ ହେବା ସହ ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ମହାପର୍ବର ସଫଳ ପରିସମାପ୍ତି ଘଟିବ। ଭକ୍ତମାନଙ୍କ ପାଇଁ ଏହି ମୁହୂର୍ତ୍ତ କେବଳ ଏକ ଧାର୍ମିକ ନୀତି ନୁହେଁ, ବରଂ ପ୍ରେମ, ପରମ୍ପରା, କ୍ଷମା ଓ ପାରିବାରିକ ସମ୍ପର୍କର ଏକ ଚିରନ୍ତନ ବାର୍ତ୍ତା।

Leave A Reply

Your email address will not be published.