ହରୀ ଶୟନ ଏକାଦଶୀରେ ସୁନାବେଶରେ ଝଲସିଲେ ମହାପ୍ରଭୁ

0 1

୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ଦର୍ଶନ, ଆଜି ଅଧରପଣା ନୀତି

ପୁରୀ, ୨୬/୦୭: ପବିତ୍ର ହରିଶୟନ ଏକାଦଶୀ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ରଥ ଉପରେ ବିରାଜମାନ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ସୁନାବେଶରେ ଅତ୍ୟନ୍ତ ଦିବ୍ୟ ଓ ମନୋମୁଗ୍ଧକର ଦେଖାଯାଉଥିଲେ। ସନ୍ଧ୍ୟା ପ୍ରାୟ ୫ଟାରୁ ସୁନାବେଶ ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି।


ସକାଳୁ ହିଁ ବଡ଼ଦାଣ୍ଡ ଓ ତିନି ରଥ ନିକଟରେ ଅସମ୍ଭବ ଜନସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନାକୁ ନେଇ ପ୍ରଶାସନ ସତର୍କ ରହିଥିଲା।


ହରିଶୟନ ଏକାଦଶୀର ଆଉ ଏକ ଆକର୍ଷଣ ଥିଲା ପାରମ୍ପରିକ ଚୁଡ଼ାଘଷା ଭୋଗ। ପୁରୀବାସୀଙ୍କ ସହ ହଜାର ହଜାର ଭକ୍ତ ରଥ ନିକଟରେ ଚୁଡ଼ାଘଷା ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥିଲେ। ଏହି ପରମ୍ପରା ଭକ୍ତମାନଙ୍କ ମଧ୍ୟରେ ଅପାର ଆସ୍ଥା ଓ ଭକ୍ତିଭାବର ପ୍ରତୀକ ଭାବେ ପରିଚିତ।
ଅନ୍ୟପକ୍ଷରେ, ରବିବାର ଶ୍ରୀଜୀଉମାନଙ୍କ ପ୍ରସିଦ୍ଧ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସକାଳୁ ମଙ୍ଗଳ ଆଳତି ପରେ ରଥ ଉପରେ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଛି। ସନ୍ଧ୍ୟାରେ ତିନି ଠାକୁରଙ୍କ ସମ୍ମୁଖରେ ଛାତି ଉଚ୍ଚର ୯ଟି ବିଶାଳ ଅଧରପଣା ହାଣ୍ଡି ଅର୍ପଣ କରାଯିବ। ପରମ୍ପରା ଅନୁସାରେ ଭୋଗ ସମାପ୍ତି ପରେ ସେହି ହାଣ୍ଡିଗୁଡ଼ିକୁ ରଥ ଉପରେ ଭଙ୍ଗାଯିବ। ବିଶ୍ୱାସ ରହିଛି ଯେ, ଏହି ଅଧରପଣାକୁ ଦେବଦେବୀ ଓ ଅସରୀରୀ ଶକ୍ତିମାନେ ପାନ କରି ସନ୍ତୁଷ୍ଟ ହୋଇ ନିଜ ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଏହି ନୀତିକୁ ନେଇ ମଧ୍ୟ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି।

Leave A Reply

Your email address will not be published.