ଓଡ଼ଗାଁ, ୨୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ଲଡ଼ୁବାବାଙ୍କ ମନ୍ଦିର ବେଢ଼ାରେ ପୂଜା ପାଉଥିବା ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ନରେନ୍ଦ୍ରପୁର ଗୁଣ୍ଡିଚା ମନ୍ଦିରରେ ନଅ ଦିନ ଅବସ୍ଥାନ ପରେ ଶ୍ରୀଜୀଉମାନେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲେ। ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମେତ ସମସ୍ତ ନୀତିକାନ୍ତି ସମାପନ ପରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ଆଳତି କରାଯାଇଥିଲା। ମନ୍ଦିର ପରିଚାଳକ ସୁବାଷ ଚନ୍ଦ୍ର ବରାଡ଼ଙ୍କ ଉପସ୍ଥିତିରେ ବଡ଼ପଣ୍ଡାମାନେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରାଇଥିଲେ। ତିନି ରଥରେ ମନ୍ଦିର ପରିଚ୍ଛା ତୋଷବନ୍ତ କର ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ସ୍ଥାନୀୟ ଥାନା ଅଧିକାରୀ ସୁନିତା ସାହୁଙ୍କ ଉପସ୍ଥିତିରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅପରାହ୍ନ ପ୍ରାୟ ୪ଟା ୩୦ରେ ଭକ୍ତମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଟାଣିଥିଲେ। ପରେ ମା’ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ସନ୍ଧ୍ୟା ପୂର୍ବରୁ ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି ଯାଇଥିଲା। ଏହାପରେ ହଜାର ହଜାର ଭକ୍ତ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଟାଣିଥିଲେ। ତେବେ ଗୁଣ୍ଡିଚା ମନ୍ଦିରଠାରୁ ପ୍ରାୟ ୩୦୦ ମିଟର ଆସିବା ପରେ ନରେନ୍ଦ୍ରପୁର ତଳଛକ ମୋଡ଼ ନିକଟରେ ନନ୍ଦିଘୋଷ ରଥ ଅଟକି ରହିଥିଲା। ରଥ ଉପରେ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟା ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ସମାପନ କରାଯାଇଥିଲା। ପରମ୍ପରା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା’ଙ୍କ ସ୍ଥାନରେ ଅଟକି ରହିଥିବା ବେଳେ ସୋମବାର ଶ୍ରୀଜୀଉମାନେ ନିଜ ମନ୍ଦିରକୁ ବିଜେ କରିବେ ବୋଲି ଜଣାପଡ଼ିଛି। ରଥଯାତ୍ରା ଅବସରରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଓଡ଼ଗାଁ ଅଗ୍ନିଶମ ବାହିନୀ ପକ୍ଷରୁ ସେବା ଯୋଗାଇ ଦିଆଯାଇଥିଲା । ଏହିପରି ଭାବେ ଓଡ଼ଗାଁ, କୁରାଳ, ହରିହରପୁର, ପଞ୍ଚିରିଡ଼ା, ଗୋଡ଼ିପଡ଼ା, ବଡ଼ଗୋରଡ଼ା, ଶିଖରପୁର, ବାଉଁଶିଆ ଓ କୋତରଙ୍ଗ ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଶ୍ରୀଜୀଉମାନଙ୍କୁ ରଥାରୂଢ଼ କରାଇ ଶ୍ରୀମନ୍ଦିର ଅଭିମୁଖେ ନିଆଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ସୁଆରସାହିରେ ପୂଜା ପାଉଥିବା ଶ୍ରୀଜୀଉଙ୍କ ରଥଯାତ୍ରା ୩୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଛୋଟ ଛୋଟ ଶିଶୁମାନେ ରଥ ଟାଣି ଆନନ୍ଦ ଉପଭୋଗ କରିଥିଲେ। ବିଭିନ୍ନ ସ୍ଥାନରେ ରଥଯାତ୍ରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.