ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶୁକ୍ରବାର ଦିନ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
ଏହି ଅବସରରେ ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଶ୍ରୀ ମନ୍ଦିରକୁ ଯାତ୍ରା କରିବା ପୂର୍ବରୁ ସେନାପଟା ଓ ପାରମ୍ପରିକ ପୂଜାର୍ଚ୍ଚନା ନୀତି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା ପରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେବା ପରେ ତିନି ଠାକୁରଙ୍କୁ ନିଜ ନିଜ ରଥ ଉପରକୁ ପହଣ୍ଡି ବିଜେ ହୋଇଥିଲା।
ସେବାୟତ ମାନଙ୍କ ଦ୍ଵାରା ଠାକୁର ମାନଙ୍କ ରଥ ଉପରକୁ ପହଣ୍ଡି ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ରଥ ଉପରେ ଛେରା-ପଅଁରା କାର୍ଯ୍ୟକ୍ରମ ରାଜ ପ୍ରାସାଦରୁ କଲ୍ୟାଣୀ ଗଜପତି ନାରାୟଣ ଦେବଙ୍କ ଦ୍ଵାରା ଛେରା ପଅଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମାଉସୀ ମା ଘର ତଥା ଟାଉନ ହଲ୍ ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା।
ଚଳିତ ବର୍ଷ ରଥଯାତ୍ରା ଦେଖିବା ପାଇଁ ପାରଳା ସହର ସମେତ ପୁରପଲ୍ଲୀ ଓ ପଡୋଶୀ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
ମା ସୁଭଦ୍ରାଙ୍କ ରଥକୁ ମହିଳା ମାନେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଟାଣିଥିଲେ ଏବଂ ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ସାମିଲ ଥିଲେ।

ସେହିଭଳି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁ ଭକ୍ତମାନେ ଟାଣି ନେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ମୃତୟନ ଥିଲେ।
ରଥଯାତ୍ରା ପାଳନ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାଂସ୍କୃତିକ ପରିଷଦର ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ମୁନିଦ୍ର ହୋନନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ନିର୍ବାହୀ ଅଧିକାରୀ ,ଜିଲ୍ଲାପରିଷଦ , ପୃଥ୍ଵୀରାଜ ମଣ୍ଡଳ , ବରିଷ୍ଠ ନାଗରିକ ତଥା ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ବିନୋଦ ଚନ୍ଦ୍ର ଜେନା , ଗୁରୁ ରଘୁନାଥ ପାତ୍ର , ନୃସିଂହ ଚରଣ ପଟ୍ଟନାୟକ , ବିଚିତ୍ରାନନ୍ଦ ବେବର୍ତ୍ତା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ।
ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରଥମ ସନ୍ଧ୍ୟାରେ ପାରଳାଖେମୁଣ୍ଡିର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ , ଏ.ଜେ.କ୍ରାଓ , ଟିମ୍ ନୃତ୍ୟ , ଡ୍ରିମ୍ ଡାନ୍ସ ଗ୍ରୁପର କଳାକାର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ଓଡ଼ିଶୀ ଓ ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ଶୁଭାଶିଷ ପତି
ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମ ଆଜି ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦେବସ୍ନାନ ମଣ୍ଡପ ଠାରେ ପ୍ରତିଦିନ ସନ୍ଧ୍ୟା ୬ ଘଣ୍ଟା ଠାରୁ ୯ ଘଟିକା ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ତତ୍ୱାବୋଧାନରେ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟର ମନୋଜ କୁମାର ଲିମ୍ମା ସହଯୋଗ କରିଥିଲେ।