ଜଗତସିଂହପୁର, ୨୨ ଜୁଲାଇ: ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ପ୍ରତିରୋଧ ଏବଂ ମଶାର ପ୍ରଜନନ ସ୍ଥଳ ନଷ୍ଟ କରିବା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୨୨ ଜୁଲାଇ ୨୦୨୬ ତାରିଖ ସକାଳ ୧୧ଟାରେ ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରୁ ଏକ ବିଶାଳ ସଚେତନତା ରାଲି ଏବଂ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ରାଲିକୁ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜ଼ିଲ୍ଲା ଚିକିତ୍ସା ଅଧିକାରିଣୀ ଡା. ସ୍ନିଗ୍ଧା ମୟୀ ମହାନ୍ତି ଓ ଜଗତସିଂହପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦୀପ ସିଂହ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି.ଡ଼ି) ଡା. ସନ୍ତୋଷ କୁମାର ବେହେରା, ଜ଼ିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ , ଜ଼ିଲ୍ଲା ଭି.ବି.ଡ଼ି ପରାମର୍ଶଦାତା ଶ୍ରୀମତୀ ତୃପ୍ତିରାଣୀ ନାୟକ, ସହାୟକ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ସୁବ୍ରତ କୁମାର ମହାପାତ୍ର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ଏହି ରାଲିରେ ଅଙ୍ଗନବାଡୀକର୍ମୀ, ଏସ୍.ଭି.ଏମ୍ କଲେଜର ଏନ.ଏସ. ଏସ. ସ୍ୱେଚ୍ଛାସେବୀ, ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଛାସେବୀ, ସହରାଞ୍ଚଳ ଆଶାକର୍ମୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପୌରପାଳିକା ପକ୍ଷରୁ ଆବର୍ଜନା ବାହନ, ସ୍ୱଚ୍ଛ ସାଥୀ ଏବଂ ସ୍ପ୍ରେ କର୍ମଚାରୀମାନେ ରାଲିରେ ସାମିଲ ହୋଇ ମାଇକିଂ ମାଧ୍ୟମରେ ଡେଙ୍ଗୁ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ରାଲି ସହିତ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଚାଲିଥିଲା ଏବଂ ଜନସାଧାରଣଙ୍କୁ ନିଜ ଘର ଓ ଆଖପାଖକୁ ସଫା ରଖିବା, ଜମା ପାଣି ନ ରଖିବା ଏବଂ ଡେଙ୍ଗୁ ପ୍ରତିରୋଧ ପାଇଁ ସଚେତନ ରହିବାକୁ ଆହ୍ୱାନ କରାଯାଇଥିଲା। ପୋଲିସ କର୍ମଚାରୀମାନେ ଶାନ୍ତିଶୃଖଳା ରକ୍ଷ। କରିବାରେ ସାହାଯ୍ୟ କରିଥିଲେ ।
ଜିଲ୍ଲାରେ ଡେଙ୍ଗୁ ପ୍ରତିରୋଧ ପାଇଁ ପୂର୍ବରୁ ଜିଲ୍ଲା ଓ ବ୍ଲକ ସ୍ତରରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ, ରାପିଡ୍ ରେସପନ୍ସ ଟିମ୍ (RRT) ଗଠନ, ଘରକୁ ଘର ସର୍ଭେ, ଲାର୍ଭା ନିୟନ୍ତ୍ରଣ, ଫଗିଂ, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଏବଂ ପରିବେଶ ସଫେଇ ଅଭିଯାନକୁ ବ୍ୟାପକ କରାଯାଇଥିଲା।
ଚଳିତ ବର୍ଷ ଜିଲ୍ଲାରେ ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ୨୦୨୨ରେ ୪୧୩, ୨୦୨୩ରେ ୪୬୬, ୨୦୨୪ରେ ୨୪୮, ୨୦୨୫ରେ ୯୬ ଏବଂ ୨୦୨୬ ମସିହାରେ ବର୍ତ୍ତମାନ ସୁଦ୍ଧା ୨୩ଟି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଗତ ବର୍ଷ ତୁଳନାରେ ଏହା ଯଥେଷ୍ଟ କମ୍ ରହିଥିବାରୁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପର ସକାରାତ୍ମକ ପ୍ରଭାବ ପ୍ରତିଫଳିତ ହୋଇଛି।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ନାଗରିକଙ୍କୁ ସପ୍ତାହକୁ ଅତି କମରେ ଥରେ ଜମା ପାଣି ଫିଙ୍ଗିଦେବା, ପାଣି ପାତ୍ର ଢାଙ୍କି ରଖିବା, ପରିବେଶ ସଫା ରଖିବା ଏବଂ ଜ୍ୱର ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଜନସହଭାଗିତା ମାଧ୍ୟମରେ ଡେଙ୍ଗୁ ମୁକ୍ତ ଜଗତସିଂହପୁର ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.