ତ୍ରିସ୍ତରୀୟ ନିର୍ବାଚନ ଓ ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

0

କାଶୀପୁର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଜୁଲାଇ ୨୯ ତାରିଖରେ କାଶୀପୁର ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ କାଶୀପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ଲକର ୨୪ଟି ପଞ୍ଚାୟତର କଂଗ୍ରେସ କର୍ମୀ, ସମର୍ଥକ ଏବଂ ଦଳୀୟ ନେତୃବୃନ୍ଦ ଏହି ବୈଠକରେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଜନସାଧାରଣଙ୍କ ସମସ୍ୟାକୁ ନେଇ ଆନ୍ଦୋଳନକୁ ତୀବ୍ର କରିବା ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକକୁ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ପରିଚାଳନା କରିଥିବା ବେଳେ ବିଧାୟକ ପ୍ରତିନିଧି ଜିଜୁରୁ ମାଝୀ ଉପସ୍ଥିତ ରହି ଦଳୀୟ କର୍ମୀମାନଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ବ୍ଲକ ଅଞ୍ଚଳର ବିଭିନ୍ନ ଜନସମସ୍ୟା, ପାନୀୟ ଜଳ, ରାସ୍ତାଘାଟ, ସ୍ୱାସ୍ଥ୍ୟ, ବୁଡ଼ା ବୁଡ଼ୀ ଙ୍କ ଭତ୍ତା, ଚାଷୀ ମାନଙ୍କୁ ସାର ଓ ଶିକ୍ଷା ଭଳି ମୌଳିକ ସମସ୍ୟାର ସମାଧାନ ଦାବିରେ ଜନଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।

ବିଶେଷକରି ଜୁଲାଇ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାଶୀପୁର ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରୁ ବହୁ ସଂଖ୍ୟାରେ କର୍ମୀ ଓ ସାଧାରଣ ଲୋକଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ବହୁ କଂଗ୍ରେସ ପ୍ରେମୀ, ଦଳୀୟ କର୍ମୀ ଏବଂ ସହଯୋଗୀମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.