ରାଉରକେଲା,(ବସନ୍ତ କୁମାର ଜେନା): ପ୍ରଦୂଷଣ ନିୟନ୍ତ୍ରଣ ନିୟମର ବାରମ୍ବାର ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାନ୍ସବାହାଲ ଫାଣ୍ଡି ଅଧୀନ ମାଣ୍ଡିଆକୁଦାରସ୍ଥିତ ଅଗ୍ରସେନ ସ୍ପଞ୍ଜ କାରଖାନାର ୩ଟି ୟୁନିଟ୍କୁ ରବିବାର ସିଲ୍ କରାଯାଇଛି।
ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ କାରଖାନାର ପିଏଲସି କଣ୍ଟ୍ରୋଲ ରୁମ୍, କଞ୍ଚାମାଲ ଫିଡିଂ ପଏଣ୍ଟ ଏବଂ ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳକୁ ସିଲ୍ କରାଯାଇଥିଲା। ଏହି ଅଭିଯାନରେ ସ୍ଥାନୀୟ ପ୍ରଶାସନ, ଟିପିଡବ୍ଲ୍ୟୁଓଡିଏଲ୍ ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବାୟୁ ଓ ଜଳ (ପ୍ରଦୂଷଣ ନିୟନ୍ତ୍ରଣ) ଆଇନ ଅନୁଯାୟୀ ଦିଆଯାଇଥିବା ସର୍ତ୍ତାବଳୀକୁ ଅଣଦେଖା କରି କାରଖାନା ପରିଚାଳନା ଚାଲିଥିଲା। କଠିନ ଆବର୍ଜନା ଓ ଫ୍ଲାଏ ଆଶର ଅନିୟମିତ ପରିଚାଳନା ସମେତ ପରିବେଶ ମାନଦଣ୍ଡ ପାଳନରେ ବିଫଳ ହେବାରୁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।
ସିଲ୍ ହୋଇଥିବା ସ୍ଥାନରେ ବୋର୍ଡ ପକ୍ଷରୁ ନୋଟିସ୍ ଲଗାଯାଇଛି। ବୋର୍ଡର ପରବର୍ତ୍ତୀ ଅନୁମତି ମିଳିବା ପର୍ଯ୍ୟନ୍ତ କାରଖାନାର କାର୍ଯ୍ୟକଳାପ ଆରମ୍ଭ କରାଯାଇପାରିବ ନାହିଁ। ତ୍ରୁଟି ସୁଧାରି ଅନୁପାଳନ ରିପୋର୍ଟ ଦାଖଲ ପରେ ମାତ୍ର ଡି-ସିଲ୍ ପାଇଁ ଆବେଦନ କରିବାକୁ କାରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଏସପିସିବି ସୂଚନାନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ପ୍ରାୟ ୧.୮୦ କୋଟି ଟଙ୍କା ପରିବେଶଗତ କ୍ଷତିପୂରଣ ଆଦାୟ କରାଯାଇଛି। ଏହି ସମୟରେ ୪୧ଟି ଶିଳ୍ପ ପ୍ରତିଷ୍ଠାନକୁ ବନ୍ଦ ନିର୍ଦ୍ଦେଶ, ୩୧ଟି ଶିଳ୍ପକୁ ସିଲ୍, ୧୦୦ଟି ଶିଳ୍ପକୁ କାରଣ ଦର୍ଶାଅ ନୋଟିସ୍ ଏବଂ ୭ଟି ଶିଳ୍ପକୁ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ଡ଼. ଅନୁପ କୁମାର ମଲ୍ଲିକ କହିଛନ୍ତି, ପରିବେଶ ସୁରକ୍ଷା ଆଇନ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମ ଉଲ୍ଲଂଘନକାରୀ ଶିଳ୍ପ ପ୍ରତିଷ୍ଠାନ ବିରୋଧରେ ଆଗାମୀ ଦିନରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ରାଉରକେଲା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, କଳୁଙ୍ଗା ଓ ବଣାଇ ଅଞ୍ଚଳର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ଯାଞ୍ଚକୁ ଅଧିକ ତୀବ୍ର କରାଯାଇଥିବା ସେ ସୂଚନା ଦେଇଛନ୍ତି।