ବେଲଗୁଣ୍ଠା ୧୯/୭:(ଶିବରାମ ଚୌଧୁରୀ )-ସଫଳତା କେବେ ଆର୍ଥିକ ଅଭାବ କିମ୍ବା ପରିସ୍ଥିତିର ଦାସ ହୁଏନାହିଁ, ବରଂ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। ଏହାକୁ ଆଉ ଦଳେ ପ୍ରମାଣିତ କରି ଦେଖାଇଛନ୍ତି ବେଲଗୁଣ୍ଠା ଅଞ୍ଚଳର ଦୁଇ ମେଧାବୀ ସନ୍ତାନ ଜସ୍ମିନ୍ ପାଣିଗ୍ରାହୀ । ଚଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ବେଲଗୁଣ୍ଠା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସି ଓ ଉତ୍ସାହର ଲହରୀ ଖେଳିଯାଇଛି।ବେଲଗୁଣ୍ଠାର ଏକ ଅତ୍ୟନ୍ତ ଆର୍ଥିକ ଅନଗ୍ରସର ପରିବାରରୁ ଆସିଥିବା ଛାତ୍ରୀ ଜସ୍ମିନ୍ ପାଣିଗ୍ରାହୀଙ୍କ ସଫଳତା ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଜସ୍ମିନ୍ଙ୍କ ପିତା ତଥା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଜିରୋଳୀ ଗ୍ରାମର ଜଗବନ୍ଧୁ ପାଣିଗ୍ରାହୀ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ଏବଂ ସେ ଏକ ସ୍ଥାନୀୟ ଔଷଧ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରନ୍ତି। ଆର୍ଥିକ ଅଭାବ ଅନଟନ ଭିତରେ ସଂସାର ଚଳୁଥିଲେ ମଧ୍ୟ ଝିଅର ପାଠପଢ଼ାରେ ସେ କେବେ ହେଲେ କୌଣସି ପ୍ରକାର ଅଭାବ ରଖିବାକୁ ଦେଇନଥିଲେ। ପିତାଙ୍କର ଏହି ତ୍ୟାଗ ଏବଂ ନିଜର ଏକାଗ୍ରତା ବଳରେ ଜସ୍ମିନ୍ ଆଜି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।
ସର୍ବଭାରତୀୟ ସ୍ତରରେ ୫,୨୪୮ ରାଙ୍କ ରଖି ଜସ୍ମିନ୍ ନିଜର ଡାକ୍ତରୀ ପଢ଼ିବା ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି। ପିଲାଦିନରୁ ଜଣେ ମେଧାବୀ ଛାତ୍ରୀ ରୂପେ ପରିଗଣିତ ହୋଇଆସିଥିବା ଜସ୍ମିନ୍ ଦଶମ ଶ୍ରେଣୀ ପରୀକ୍ଷାରେ ୯୭% ଏବଂ ଦ୍ଵାଦଶ ଶ୍ରେଣୀରେ ୯୪% ମାର୍କ ରଖି କୃତିତ୍ୱ ଅର୍ଜନ କରିଥିଲେ। ତାଙ୍କର ଏହି ସଫଳତା ପରିବାର ତଥା ସମଗ୍ର ଅଞ୍ଚଳବାସୀଙ୍କ ମଥା ଗର୍ବରେ ଉଚ୍ଚ କରିଦେଇଛି। ସେହିପରି ପରି ବେଲଗୁଣ୍ଠା ବଡ଼ଦାଣ୍ଡ ସାହି ନିବାସୀ ବେଲଗୁଣ୍ଠାର ବିଶିଷ୍ଟ ବ୍ୟବସାୟୀ ରଜତ କୁମାର ସାହୁଙ୍କ ସୁପୁତ୍ର ଅନୁରାଗ ସାହୁ ମଧ୍ୟ ନିଟ୍ ପରୀକ୍ଷାରେ ସଫଳତା ପାଇ ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୧୩,୭ ୦୦ ରାଙ୍କ ହାସଲ କରିଛନ୍ତି। ଅନୁରାଗ ମଧ୍ୟ ପାଠପଢ଼ାରେ ବେଶ୍ ଆଗୁଆ ଥିବାବେଳେ ଦଶମ ଶ୍ରେଣୀରେ ୯୮% ଏବଂ ଭୁବନେଶ୍ୱରରେ ରହି ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ୯୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ନିଜର କଠିନ ଅଧ୍ୟବସାୟ ବଳରେ ଅନୁରାଗ ଆଜି ନିଜ ଭବିଷ୍ୟତ ଗଢ଼ିବା ଦିଗରେ ବଡ଼ ସଫଳତା ପାଇଛନ୍ତି।ଏହି ଦୁଇ କୃତି ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବେଲଗୁଣ୍ଠା ଅଞ୍ଚଳବାସୀ, ବିଭିନ୍ନ ସାମାଜିକ ସଂଗଠନ, ସେମାନଙ୍କର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ହାର୍ଦ୍ଦିକ ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ସେମାନେ ଆଗାମୀ ଦିନରେ ଜଣେ ଜଣେ ଭଲ ଡାକ୍ତର ହୋଇ ସମାଜର ଗରିବ ଓ ନିଷ୍ପେସିତ ଲୋକଙ୍କର ସେବା କରନ୍ତୁ ଏବଂ ଦେଶ ଗଠନରେ ନିଜର ଅବଦାନ ରଖନ୍ତୁ ବୋଲି ସମସ୍ତେ ଆଶା ବ୍ୟକ୍ତ କରିବା ସହ ଦୁହିଁଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post