କୋଲାବିରାରେ ୭୭ତମ ବନମହୋତ୍ସବ: ଚଳିତ ବର୍ଷ ଲାଗିବ ୧.୭୦ ଲକ୍ଷ ଚାରା, ବ୍ୟକ୍ତିପିଛା ୧୦ଟି ଗଛ ଲଗାଇବାକୁ ବିଧାୟକଙ୍କ ଆହ୍ୱାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବନାଞ୍ଚଳ ପକ୍ଷରୁ ସନ୍ୟାସୀପାଲି ଗ୍ରାମ ନିକଟସ୍ଥ କୋଲାବିରା ଗ୍ରାମ୍ୟ ଜଙ୍ଗଲ ପଡ଼ିଆରେ ମଙ୍ଗଳବାର ୭୭ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ, ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ବୃକ୍ଷ ମଧ୍ୟ ମାନବଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ୧୦ଟି ଲେଖାଏଁ ଗଛ ଲଗାଇ ସେଗୁଡ଼ିକର ଯତ୍ନ ନେବା ଉଚିତ। ବୃକ୍ଷରୋପଣଠାରୁ ଅଧିକ ମହତ୍ କାର୍ଯ୍ୟ ଆଉ କିଛି ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ।
କୋଲାବିରା ଫରେଷ୍ଟ ରେଞ୍ଜ ଅଫିସର ସୁଦାମ ଜଗଦଳା ସ୍ୱାଗତ ଭାଷଣରେ କହିଥିଲେ ଯେ, ଚଳିତ ବର୍ଷ କୋଲାବିରା ରେଞ୍ଜ ଅଞ୍ଚଳରେ ୧ ଲକ୍ଷ ୭୦ ହଜାର ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ସନ୍ୟାସୀପାଲି ଗ୍ରାମ ସମ୍ମୁଖସ୍ଥ କୋଲାବିରା ଗ୍ରାମ୍ୟ ଜଙ୍ଗଲ ପଡ଼ିଆରେ ୬୫ ହଜାର ଚାରା ରୋପଣ କରାଯିବ। ଗଛ ଲଗାଇବା ସହ ସେଗୁଡ଼ିକର ସୁରକ୍ଷା ଓ ପରିଚର୍ଯ୍ୟା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି ସେ ଆହ୍ୱାନ ଦେଇଥିଲେ।
ଅନୁଷ୍ଠିତ ସଭାରେ ତହସିଲଦାର ମନୋଜ କୁଜୁର, ଏବିଡିଓ ରାଜେଶ ରୋଶନ ଗୁଡ଼ିଆ, ବିଧାୟକ ପ୍ରତିନିଧି ରାଜେଶ ଦାଶ, ବିଇଓ କୋଲାବିରା ପ୍ରକାଶ ସାହୁ, ବିଇଓ ଲଇକେରା ହିମାଂଶୁ ବାଗ, ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ତରେଇ, ଝାରସୁଗୁଡ଼ା ରେଞ୍ଜର ବିଜୟ ପ୍ରଧାନ ଓ ବାଗଡିହି ରେଞ୍ଜର ବନ୍ଦନା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏଫଏମୟୁ ସଂଯୋଜକ ତାରକେଶ୍ୱର ପ୍ରଧାନ ସଭା ପରିଚାଳନା କରିଥିଲେ।
ସଭା ଶେଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଟଙ୍କଧର ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଗୁଡ଼ିଆ ତ୍ରିପାଠୀ ପୂଜାର୍ଚ୍ଚନା ପରେ ଏକ ଲିମ୍ବ ଚାରା ରୋପଣ କରିଥିଲେ। ଏହାସହ ଉପସ୍ଥିତ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ବନ ସୁରକ୍ଷା ସମିତି ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବନ କର୍ମଚାରୀ ଓ ଅତିଥିମାନେ ମଧ୍ୟ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ରମାକାନ୍ତ ନାୟକ, ବୁଧୁରାମ ରୋହିଦାସ, ଆଶାରାଣୀ ବେହେରା, ପ୍ରଫୁଲ୍ଲ କୁମାର ନାଗଙ୍କ ସମେତ ସମସ୍ତ ବନରକ୍ଷୀ ଓ ବନ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।