ଐତିହାସିକ କୁଲାଡ଼ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

0

ଚଳିତ ବର୍ଷ ଦେଖିବାକୁ ମିଳିବ ଭିନ୍ନ ରୂପ, ରଥର ସୁରକ୍ଷା ଯାଞ୍ଚ ସହ ଜବରଦଖଲ ଉଚ୍ଛେଦ

​ ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଐତିହାସିକ କୁଲାଡ଼ ଗ୍ରାମର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ଶହ ଶହ ବର୍ଷର ପୁରାତନ ତଥା ଐତିହାସିକ ଭଞ୍ଜ ରାଜବଂଶ ସମୟରୁ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଆସୁଥିବା ଏହି ଯାତ୍ରା ବର୍ତ୍ତମାନ ଦେବୋତ୍ତର ବିଭାଗ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଏହି ଯାତ୍ରାକୁ ଅଧିକ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବା ପାଇଁ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସହ କ୍ଷେତ୍ର ପରିଦର୍ଶନ କରାଯାଇଛି।
​ରଥର ସୁରକ୍ଷା ଯାଞ୍ଚ ଓ ପ୍ରମାଣପତ୍ର ପ୍ରଦାନ
​ଯାତ୍ରାର ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ କୁଲାଡ଼ ଗ୍ରାମ ଗସ୍ତ କରି ନିର୍ମିତ ରଥର ସ୍ଥିତି ବୁଲି ଦେଖିବା ସହ ଅନୁଧ୍ୟାନ କରିଥିଲେ। ରଥର ସ୍ଥାୟିତ୍ୱ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପରେ ସେ ଆନୁଷ୍ଠାନିକ ଭାବେ ରଥ ସୁରକ୍ଷା ପ୍ରମାଣପତ୍ର (Safety Certificate) ପ୍ରଦାନ କରିଛନ୍ତି।
ରଥ ଯାଞ୍ଚ ସମୟରେ ଅତିରିକ୍ତ ତହସିଲଦାର ଅବିନାଶ ମହାର, ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ଏବଂ ଲକ୍ଷ୍ମଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।
​ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ଓ ସେବାୟତଙ୍କ ସହ ଆଲୋଚନା
​ରଥଯାତ୍ରା ପଥକୁ ପ୍ରଶସ୍ତ ଓ ବାଧାମୁକ୍ତ କରିବା ପାଇଁ ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ନେତୃତ୍ୱରେ ଆଜି କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହା ସହିତ ଆଗକୁ ଥିବା ପବିତ୍ର ନେତ୍ରୋତ୍ସବ ଏବଂ ପ୍ରଭୁଙ୍କ ନବ ଯୌବନ ଦର୍ଶନ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଅତିରିକ୍ତ ତହସିଲଦାର ସେବାୟତମାନଙ୍କ ସହ ବିସ୍ତୃତ ଆଲୋଚନା ଓ ପର୍ଯ୍ୟାଲୋଚନା କରିଛନ୍ତି। ​ବହୁ ବର୍ଷ ଧରି ଐତିହାସିକ କୁଲାଡ଼ ରଥଯାତ୍ରା ଅବହେଳିତ ଅବସ୍ଥାରେ ପାଳିତ ହୋଇ ଆସୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିଲା। ତେବେ ଚଳିତ ବର୍ଷ ଏହି ପାରମ୍ପରିକ ଯାତ୍ରାକୁ ଅଧିକ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି।
​ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ମାନେ ହେଲେ,ପ୍ରଦ୍ୟୁମ୍ନ କୁମାର ନାୟକମାନ୍ୟବର ବିଧାୟକ, ଉମା ଶଙ୍କର ବେହେରା ଉପ-ଜିଲ୍ଲାପାଳ, ଅଭିପ୍ସା ପଟ୍ଟନାୟକ ତହସିଲଦାର, ଅବିନାଶ ମହାର ଅତିରିକ୍ତ ତହସିଲଦାର, ମନ୍ଦିର ପରିଚାଳନା କମିଟି ବ୍ରହ୍ମାନନ୍ଦ ଦାସ, ସଞ୍ଜୟ ପ୍ରଧାନ, ଶିବ ପାଢ଼ୀ, ମୁରଲୀଧର ପଣ୍ଡା, ସୁଧିର ଦାସ ଓ ଅନ୍ୟାନ୍ୟ ସଦସ୍ୟମାନେ।
ଚଳିତ ବର୍ଷ ନିଆଯାଇଥିବା ଏହି ଅଭିନବ ଏବଂ ସକାରାତ୍ମକ ପଦକ୍ଷେପ ଯୋଗୁଁ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ପ୍ରକାଶ ପାଇଛି। ଦୀର୍ଘ ବର୍ଷର ଅବହେଳା ପରେ କୁଲାଡ଼ ରଥଯାତ୍ରା ଏଥର ଏକ ସ୍ମରଣୀୟ ଉତ୍ସବରେ ପରିଣତ ହେବାକୁ ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Leave A Reply

Your email address will not be published.