ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

0

ଭୁବନେଶ୍ୱର, ୧୨.୦୭.୨୦୨୬: ନନ୍ଦନକାନନସ୍ଥିତ ତିଲୋତ୍ତମା କଲ୍ୟାଣ ମଣ୍ଡପଠାରେ ଆଜି ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଏବଂ ସଂଘର ଅତ୍ୟାଚାରିତ ସଦସ୍ୟମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମ୍ମିଳନୀରେ ଆୟୋଜକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଉତ୍କଳ ଦୃଷ୍ଟିହୀନ ସଂଘକୁ ପ୍ରଦାନ କରାଯାଇଥିବା ମୂଲ୍ୟବାନ ସରକାରୀ ଜମିକୁ କିଛି ବ୍ୟକ୍ତି ବେଆଇନ ଭାବେ ଦଖଲ କରିଛନ୍ତି। ଏହି କଲ୍ୟାଣ ମଣ୍ଡପଟି ଠିକାଦାର ରଶ୍ମି ରଞ୍ଜନ ସାହୁଙ୍କ ମାଲିକାନାରେ ଚାଲୁଥିବା ବେଳେ ଏଥିରେ ଖାରବେଳ ନଗର ଥାନା ଅଧିକାରୀ (OIC) ରଶ୍ମି ରଞ୍ଜନ ସାହୁଙ୍କ ସମ୍ପୃକ୍ତି ଓ ସମର୍ଥନ ଥିବା ଅଭିଯୋଗ ହୋଇଛି। ସଂଘ ପରିସରରେ ଥିବା ଏହି କଲ୍ୟାଣ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ନିଶାଦ୍ରବ୍ୟ ସେବନ କରାଯାଉଥିବାର ଗମ୍ଭୀର ଅଭିଯୋଗ ମଧ୍ୟ ରହିଛି।
ସମ୍ମିଳନୀରେ ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ସଙ୍ଘରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଅବୈଧ୍ୟ ଭାବେ ଜଗତସିଂହପୁର ସହକାରୀ ଜିଲ୍ଲାପାଳ ସୁକାନ୍ତି ଦାସ ଓ ନେତାଜୀ ସୁବାଷ ବୋଷ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ପ୍ରଶାନ୍ତ ଭୂୟାଁଙ୍କ ତତ୍ତ୍ୱାବଧାନରେ ଏକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯାହା ଅନିୟମିତତାପୂର୍ଣ୍ଣ ଥିଲା। ଏହି ତ୍ରୁଟିପୂର୍ଣ୍ଣ ନିର୍ବାଚନକୁ ବିରୋଧ କରି ସଂଘର ସଦସ୍ୟମାନେ ଏହି ନିର୍ବାଚନ ରଦ୍ଧ କରିବାକୁ ଦାବି କରୁଛନ୍ତି।
ଅନ୍ୟପକ୍ଷରେ, ସାଧାରଣ ପ୍ରଶାସନ ବିଭାଗ (GA Department) ପକ୍ଷରୁ ବେଆଇନ କଲ୍ୟାଣ ମଣ୍ଡପକୁ ତୁରନ୍ତ ବନ୍ଦ କରିବାକୁ ନୋଟିସ୍‌ ଜାରି କରାଯାଇଛି। ତେବେ ଦୃଷ୍ଟିହୀନ ସଂଘର ସଦସ୍ୟମାନେ ଦାବି ଉଠାଇଛନ୍ତି ଯେ କଲ୍ୟାଣ ମଣ୍ଡପରେ ଚାଲିଥିବା ବ୍ୟବସାୟିକ କାର୍ଯ୍ୟକୁ ବନ୍ଦ କରିବା ସହ ଉକ୍ତ କଲ୍ୟାଣ ମଣ୍ଡପକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ । ସେଠାରେ ଏକ ଆବାସିକ ଦୃଷ୍ଟିହୀନ ବିଦ୍ୟାଳୟ ଚାଲୁ ରହିଛି। ଯେଉଁଥିରେ ପ୍ରାୟ ୧୫୦ ରୁ ୨୦୦ ଦୃଷ୍ଟିହୀନ ବିଦ୍ୟାର୍ଥୀ ଅଧ୍ୟୟନରତ, ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ସଙ୍ଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।
ସଂଘର ନିର୍ବାଚିତ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ଦାଶ ଓ କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ଅଜିତ କୁମାର ବେହେରାଙ୍କୁ ଶାରୀରିକ ଆକ୍ରମଣ କରି ସଂଘ କାର୍ଯ୍ୟାଳୟରୁ ବାହାର କରିଦିଆଯାଇଥିବା ସେମାନେ ଦାବି କରିଛନ୍ତି। ସଂଘର ନଥିପତ୍ର ଓ ସମ୍ପତ୍ତିର କ୍ଷତି କରାଯିବା ସହ ସଦସ୍ୟମାନଙ୍କୁ ଧମକ ଦିଆଯାଉଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ପ୍ରଶାସନିକ ଓ ପୁଲିସ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ, ଯାହା ଦୃଷ୍ଟିହୀନ ସମାଜରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।
ସଂଘ ପକ୍ଷରୁ ଉପସ୍ଥାପିତ ପ୍ରମୁଖ ଦାବିଗୁଡ଼ିକ ହେଲା:
-ସଂଘ ପରିସରରୁ ସମସ୍ତ ବେଆଇନ କବ୍‌ଜା ତୁରନ୍ତ ହଟାଯାଉ।
-ସମସ୍ତ ଅଭିଯୋଗର ଏକ ନିରପେକ୍ଷ ଓ ଯଥାଶୀଘ୍ର ତଦନ୍ତ କରାଯାଉ।
-ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ସଂଘର ନିର୍ବାଚିତ ପଦାଧିକାରୀମାନଙ୍କୁ କାର୍ଯ୍ୟକାଳ ସମାପ୍ତି ପର୍ଯ୍ୟନ୍ତ ନିର୍ବିଘ୍ନରେ ଦାୟିତ୍ୱ ପାଳନର ସୁଯୋଗ ଦିଆଯାଉ।
-ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ଅଧିକାର ସୁନିଶ୍ଚିତ କରି ସଂଘରେ ଶାନ୍ତି ଓ ସ୍ଥିରତା ଫେରାଇ ଅଣାଯାଉ।
-ସଙ୍ଘ ପକ୍ଷରୁ ଠିକାଦାର ରଶ୍ମି ରଞ୍ଜନ ସାହୁ, (OIC) ରଶ୍ମି ରଞ୍ଜନ ସାହୁ ଓ ଜଗତସିଂହପୁର ସହକାରୀ ଜିଲ୍ଲାପାଳ ସୁକାନ୍ତି ଦାସଙ୍କ ଓ ନେତାଜୀ ସୁବାଷ ବୋଷ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ପ୍ରଶାନ୍ତ ଭୂୟାଁଙ୍କ ବିରୋଧରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ କରାଯାଉ।

ସଂଘର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.