ଦୁର୍ଘଟଣାରେ ଯୁବକ ଗୁରୁତର,

0

ଓଡ଼ଗାଁ, ୧୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ହମ୍ପରେ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଶନିବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ଘଟିଥିବା ଜଣାପଡ଼ିଛି।
ଆହତ ଯୁବକ ହେଲେ ସୁବ୍ରତ ମହାରଣା (୩୬)। ସେ ଭୁବନେଶ୍ୱରରେ ଏକ କମ୍ପାନୀରେ କାର୍ଯ୍ୟରତ ଥିବାବେଳେ କମ୍ପାନୀ କାମରେ ସ୍କୁଟି ଯୋଗେ ଭଞ୍ଜନଗର ଯାଇଥିଲେ। କାମ ସାରି ଭଞ୍ଜନଗର–ନୟାଗଡ଼ ୨୧ ନମ୍ବର ରାଜ୍ୟ ରାଜପଥ ଦେଇ ଭୁବନେଶ୍ୱର ଫେରୁଥିବା ସମୟରେ କଲେଜ ପଟରୁ ପ୍ରଥମେ ପଡୁଥିବା ପେଟ୍ରୋଲ ପମ୍ପ ନିକଟ ହମ୍ପରେ ତାଙ୍କ ସ୍କୁଟିର ଭାରସାମ୍ୟ ହରାଇଥିଲା। ଫଳରେ ସେ ଗାଡ଼ିରୁ ଛିଟିକି ପଡ଼ି ରାସ୍ତାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ସୁବ୍ରତଙ୍କ ମୁହଁର ତଳ ଓଠ ଓ ମାଢ଼ି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସୂଚନା ଥାଉକି ବାଟରେ ପଡୁଥିବା ତାଙ୍କ ନିଜ ଘର ଠାରୁ ଦୁର୍ଘଟଣା ସ୍ଥଳ ମାତ୍ର ୫ ଶହ ମିଟର ଦୁର ରହିଥିଲା । ଖବର ପାଇ ଓଡ଼ଗାଁ ଦମକଳ ବାହିନୀ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ବେହୋସ୍ ଅବସ୍ଥାରେ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.