ସର୍ବ ଭାରତୀୟ ସ୍ୱଚ୍ଛ ଓ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନରେ ହାତୀଆଶିଳା ବିଦ୍ୟାଳୟ,ସଫଳତା ପାଇଁ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

0

ନୂଆଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ସର୍ବ ଭାରତୀୟ ସ୍ତରୀୟ ସ୍ୱଚ୍ଛ ଓ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନୂଆଗାଁ ବ୍ଲକ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ, ହାତୀଆଶିଳାର ପ୍ରଧାନ ଶିକ୍ଷକ ବିନାୟକ ପଣ୍ଡା, ସହକାରୀ ଶିକ୍ଷକ ଲକ୍ଷ୍ମୀଧର ନାହାକ ଏବଂ ବିଦ୍ୟାଳୟ ପରିବାରକୁ ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ଗିରୀଜା ଶଙ୍କର ମହାପାତ୍ରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ବୈଠକରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି।
ଏହି ବୈଠକରେ ସମ୍ପୃକ୍ତ କ୍ଲଷ୍ଟରର ୧୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ପଞ୍ଚଶିକ୍ଷା ସେତୁ ଯୋଜନା କମିଟିର ସଭାପତି ସୁଶାନ୍ତ କୁମାର ସାହୁ, ବିଦ୍ୟାଳୟର ଦୁଇଜଣ ରୋଷେଇୟା ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ, ବାହାଡାଝୋଲା ଆଞ୍ଚଳିକ ସାଧନକର୍ମୀ ଅଶୋକ ପଣ୍ଡା ଏବଂ ବେରୁହାଁବାଡ଼ି ଆଞ୍ଚଳିକ ସାଧନକର୍ମୀ ପ୍ରମୋଦ କୁମାର ଖଣ୍ଡୁଆଳ ଉପସ୍ଥିତ ରହି ବିଦ୍ୟାଳୟ ସଫଳତାର ପ୍ରଶଂସା କରିଥିଲେ। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍)ର ସହଯୋଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ଆୟୋଜିତ ସ୍ୱଚ୍ଛ ଓ ସବୁଜ ବିଦ୍ୟାଳୟ ମୂଲ୍ୟାଙ୍କନ ପ୍ରତିଯୋଗିତାରେ ଦେଶର ବିଦ୍ୟାଳୟଗୁଡ଼ିକ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ, ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଭଳି ବିଭିନ୍ନ ମାନଦଣ୍ଡରେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ଏକମାତ୍ର ପୁରସ୍କୃତ ବିଦ୍ୟାଳୟ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ହାତୀଆଶିଳା ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ବିଦ୍ୟାଳୟଟି ଓଡ଼ିଶାର ଶ୍ରେଷ୍ଠ ୧୦ଟି ପୁରସ୍କୃତ ବିଦ୍ୟାଳୟ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ସର୍ବଭାରତୀୟ ସ୍ତରରେ ୧୯୧ଟି ପୁରସ୍କୃତ ବିଦ୍ୟାଳୟ ମଧ୍ୟରୁ ୧୮ତମ ସ୍ଥାନ ହାସଲ କରି ନୟାଗଡ଼ ଜିଲ୍ଲା ତଥା ନୂଆଗାଁ ବ୍ଲକ ପାଇଁ ଗୌରବ ଆଣିଛି।
ଏହି ଉଲ୍ଲେଖନୀୟ ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ପକ୍ଷରୁ ଅଭିନନ୍ଦନ ଓ ସାଧୁବାଦ ଜଣାଯାଇଛି।

Leave A Reply

Your email address will not be published.