ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବନ୍ଧୁମିଳନ

0

ଓଡ଼ଗାଁ, ୧୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ବନ୍ଧୁମିଳନ ଉତ୍ସବ ଶୁକ୍ରବାର ସ୍ଥାନୀୟ ବ୍ଲକ୍‌ ରୋଡସ୍ଥିତ କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବସନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉପସଭାପତି ଆଡଭୋକେଟ୍‌ ସୁବାସ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ନୃସିଂହ ଚରଣ ସାହୁ, ଯୁଗ୍ମ ସମ୍ପାଦକ ବଟକୃଷ୍ଣ ପଣ୍ଡା ଓ କୋଷାଧ୍ୟକ୍ଷ ଶେଷଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ଓଡ଼ଗାଁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ସଭାରେ ବରିଷ୍ଠ ନାଗରିକ ମଞ୍ଚ ପାଇଁ ଏକ ମାସ ମଧ୍ୟରେ ଜମି ଚିହ୍ନଟ କରି ସଦସ୍ୟମାନଙ୍କ ସହଯୋଗରେ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ଭୁବନେଶ୍ୱର–ଭଞ୍ଜନଗର ରୁଟ୍‌ରେ ଚଳାଚଳ କରୁଥିବା ସମସ୍ତ ବସ୍‌କୁ ଓଡ଼ଗାଁର ଶ୍ରୀ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଯାତାୟାତ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଞ୍ଚ ପକ୍ଷରୁ ସ୍ଥିର କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ପରିଚୟପତ୍ର ପ୍ରସ୍ତୁତି ପାଇଁ ଆବଶ୍ୟକ ନଥିପତ୍ର ସଂଗ୍ରହ କରି ବିଧିବଦ୍ଧ ଭାବେ ଆବେଦନ କରିବା ସହ ସୁସ୍ଥ ପରିବେଶ ସୃଷ୍ଟି ଲକ୍ଷ୍ୟରେ ବୃକ୍ଷରୋପଣ ଓ ସଫେଇ ଅଭିଯାନକୁ ଗୁରୁତ୍ୱ ଦିଆଯାଇଥିଲା। ଆଗାମୀ ସପ୍ତାହ ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରକୃତିବନ୍ଧୁ ତଥା ମଞ୍ଚର ସଦସ୍ୟ ସୁକାନ୍ତ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ହେମାମାଳୀ ମନ୍ଦିର ପରିସର ସଫେଇ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

Leave A Reply

Your email address will not be published.