ଓଡ଼ଗାଁ, ୯।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ୭୫ ବର୍ଷୀୟ ବୃଦ୍ଧ ଛାଟିଆ ପ୍ରଧାନଙ୍କୁ କାଠ ଫାଳିଆରେ ଆକ୍ରମଣ ଘଟଣାରେ ନୂଆ ମୋଡ଼ ଆସିଛି। ଥାନାରେ ଅଭିଯୋଗ ଦାଖଲ କରିବା ପରେ ଅଭିଯୁକ୍ତ କୈଳାସ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନ୍ୟ କେତେକ ଅଚିହ୍ନା ବ୍ୟକ୍ତି ରାତିରେ ତାଙ୍କ ଘରକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କବାଟକୁ ଟେକାପଥର ମାଡ଼ କରିଥିବା ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ପୁଣି ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କାଠ ଫାଳିଆରେ ଆକ୍ରମଣରେ ଆହତ ହୋଇ ଚିକିତ୍ସା ପରେ ଛାଟିଆ ପ୍ରଧାନ ଶରଣକୁଳ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସେହି ରାତିରେ ଅଭିଯୁକ୍ତ ପକ୍ଷ ତାଙ୍କ ଘର ସମ୍ମୁଖକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ କବାଟ ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହାସହ ମାମଲା ପ୍ରତ୍ୟାହାର ନ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଛାଟିଆ ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବୃଦ୍ଧ ଓ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ସେମାନେ ପୁଲିସ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ଶରଣକୁଳ ପୁଲିସ ପୂର୍ବରୁ ରୁଜୁ ହୋଇଥିବା ମାମଲା ସହ ନୂତନ ଅଭିଯୋଗ ପାଇ ଅନ୍ୟ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତଦନ୍ତ ପରେ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.