ବନମହୋତ୍ସବ ସପ୍ତାହର ସମାପନୀରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ

0

“ପ୍ରକୃତିର ସୁରକ୍ଷା ହିଁ ସୁସ୍ଥ ସମାଜର ମୂଳ ଆଧାର”

ପୁରୀ/ ବଳଙ୍ଗା, ୭/୭: ବନମହୋତ୍ସବ ସପ୍ତାହ–୨୦୨୬ର ସମାପନୀ ଅବସରରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବଳଙ୍ଗା ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ଦାଶ, ପୁରାତନ ଛାତ୍ର ତଥା ସମାଜସେବୀ ଓ ଯୁବ ସାମ୍ବାଦିକ ମାନସ ରଞ୍ଜନ ଦାଶ, ଏଲିଜା ବେହେରା, ସୁପ୍ରିୟା ବେହେରା, ଜୟଶ୍ରୀ ଦାଶ, ମାନସ କୁମାର ସେଠୀ, ବିଶ୍ୱଜିତ ମଲ୍ଲିକଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଭିନ୍ନ ପ୍ରଜାତିର ଚାରା ରୋପଣ କରି ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ଦାଶ କହିଥିଲେ ଯେ, ପ୍ରକୃତିର ସୁରକ୍ଷା ହୋଇପାରିଲେ ମାନବ ସମାଜ ସୁସ୍ଥ ଓ ସୁରକ୍ଷିତ ଜୀବନଯାପନ କରିପାରିବ। ବୃକ୍ଷ ନଷ୍ଟ ହେଲେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ବିଭିନ୍ନ ପ୍ରକାର ରୋଗବ୍ୟାଧି ବୃଦ୍ଧି ପାଇବ। ତେଣୁ ଅଧିକରୁ ଅଧିକ ବୃକ୍ଷରୋପଣ କରି ସୁସ୍ଥ ସମାଜ ଓ ନିରାମୟ ଜୀବନ ଗଠନରେ ସମସ୍ତଙ୍କୁ ଆଗେଇ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ।

ସମାଜସେବୀ ଓ ଯୁବ ସାମ୍ବାଦିକ ମାନସ ରଞ୍ଜନ ଦାଶ କହିଥିଲେ ଯେ, ପ୍ରକୃତି, ସଂସ୍କୃତି ଓ ପ୍ରଗତି ପରସ୍ପରର ପରିପୂରକ। ବୃଦ୍ଧି ପାଉଥିବା ଜନସଂଖ୍ୟା ଅନୁପାତରେ ସବୁଜ ବନାନୀର ବିସ୍ତାର ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ପଞ୍ଚାନନ ବରାଳ ସୁଚାରୁ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.