ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ , ଛତ୍ରପୁର , ଗଞ୍ଜାମଠାରେ ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଏକ ଗୌରବାନ୍ୱିତ ଅଧ୍ୟାୟକୁ ଆଧାର କରି ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ପୁସ୍ତକ “ଭାରତରେ ସ୍ବାଧୀନତା ସଂଗ୍ରାମର ଆଦ୍ୟନାଦ: ଏକ ତୁଳନାତ୍ମକ ଅଧ୍ୟୟନ” ର ଲୋକାର୍ପଣ ଉତ୍ସବ ତଥା ତତ୍ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଦଘାଟକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ତଥା ଐତିହାସିକ ଡ଼ଃ ଚଣ୍ଡି ପ୍ରସାଦ ନନ୍ଦ , ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ଃ ଅମୀୟ କୁମାର ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ସରକାରୀ ସ୍ନାତକ ମହାବିଦ୍ୟାଳୟ , ଧରାକୋଟର ଅଧ୍ୟକ୍ଷ ଡ଼ଃ ସୁଜିତ ପଣ୍ଡା , ସମ୍ମାନୀତ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ଼ଃ ମନ୍ମଥ ପାଢ଼ୀ , ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ପାରଳାଖେମୁଣ୍ଡି , ସ୍ନାତକୋତ୍ତର ଇତିହାସ ବିଭାଗ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସୁଶାନ୍ତ ଦାସ ପ୍ରମୁଖ ଯୋଗଦାନ କରି ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।
ପାରଳାର ସୁପ୍ତ ଇତିହାସକୁ ଲୋକ ଲୋଚନକୁ ଆଣିଥିବାରୁ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କର ଭୂୟସୀ ପ୍ରଶଂସା କରିଥିଲେ। ପାରଳା ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ୨ ଙ୍କ ତତ୍ତ୍ଵାବଧାନରେ ୧୭୭୭ ମସିହାରେ ପାଇକ ଓ ବିଷୋୟୀମାନେ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ଲେଖକ ଉପସ୍ଥାପନ କରିଥିଲେ ଏବଂ ଏହା ପାରଳାର ପ୍ରଥମ ସଶକ୍ତ ଆନ୍ଦୋଳନର ପ୍ରଥମ ପୃଷ୍ଠଭୂମି ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ୧୭୬୭ – ୧୮୫୭ ପର୍ଯ୍ୟନ୍ତ ଦୀର୍ଘ ୯୦ ବର୍ଷ ଧରି ଏହି ଆନ୍ଦୋଳନ ଜାରି ରହିଥିଲା ବୋଲି ଲେଖକ ଉପସ୍ଥାପନ କରିଥିଲେ।
ଉତ୍ସବରେ ବିଶିଷ୍ଟ ଅତିଥି , ସାହିତ୍ୟିକ , ବୁଦ୍ଧିଜୀବୀ ଏବଂ ପାଠକବୃନ୍ଦ ଉପସ୍ଥିତ ରହି ପୁସ୍ତକଟିର ଗବେଷଣାମୂଳକ ଦୃଷ୍ଟିଭଙ୍ଗୀ ଓ ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ପୁସ୍ତକ ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭିକ ପର୍ଯ୍ୟାୟକୁ ଏକ ତୁଳନାତ୍ମକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଇତିହାସ ଅନୁସନ୍ଧାନ କ୍ଷେତ୍ରରେ ଏକ ମୂଲ୍ୟବାନ ସଂଯୋଜନ ଭାବେ ବିବେଚିତ ହେବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ।
ପ୍ରାରମ୍ଭରେ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଶ୍ରୀ ନରେଶ ଚନ୍ଦ୍ର ରାଉତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀମତୀ ସାପା ରଞ୍ଜିତା କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।ଏହି ଅବସରରେ ଛତ୍ରପୁର , ବ୍ରହ୍ମପୁର ଓ ପାରଳାଖେମୁଣ୍ଡିରୁ ଶତାଧିକ ସାହିତ୍ୟିକ , ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଚୀସ୍ମିତା ବେହେରା ସମସ୍ତ ଅତିଥି , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.