ସ୍କୁଲ-କଲେଜ ଛାତ୍ରଙ୍କୁ ଟାର୍ଗେଟ୍ କରି ହେରୋଇନ୍ ବିକ୍ରି ଯୋଜନା, ଜଣେ ଗିରଫ

0

ରାଉରକେଲା,(ବସନ୍ତ କୁମାର ଜେନା) : ପ୍ଲାଣ୍ଟସାଇଟ୍ ଥାନା ପୋଲିସ ୨୦ ଗ୍ରାମ୍ ହେରୋଇନ୍ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ କେସ୍ ନଂ-୬୯୧୧, ତାରିଖ ୦୨.୦୭.୨୦୨୬ରେ ଏନ୍‌ଡିପିଏସ୍ ଆଇନର ଧାରା ୨୧(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ଉପ-ନିରୀକ୍ଷକ (ଏସ୍‌ଆଇ) ଉମେଶ କୁମାର ଆହିର ଥାନା କର୍ମଚାରୀଙ୍କ ସହ ଦିନିକିଆ ପାଟ୍ରୋଲିଂ କରୁଥିବା ବେଳେ ବଡ଼ପାର୍କ, ରେଳୱେ କଲୋନୀ ନିକଟରେ ଭରସାଯୋଗ୍ୟ ସୂଚନା ପାଇ ଚଢ଼ାଉ କରିଥିଲେ। ସେଠାରୁ ଭାଗୀରଥୀ ମେହେର (୩୨)ଙ୍କୁ ୨୦ ଗ୍ରାମ୍ ହେରୋଇନ୍ ସହ କାବୁ କରାଯାଇଥିଲା। ସେ ସ୍ୱଚ୍ଛ ପଲିଥିନ୍ ପ୍ୟାକେଟରେ ହେରୋଇନ୍ ରଖି ବେଆଇନ ଭାବେ ବିକ୍ରି ପାଇଁ ପରିବହନ କରୁଥିବା ଏବଂ ବିଶେଷକରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ବିକ୍ରି କରି ଅର୍ଥ ଉପାର୍ଜନ କରିବାର ଯୋଜନା ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ ଭାଗୀରଥୀ ମେହେର କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଲିମେସର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ଝାରସୁଗୁଡ଼ାର ବୁରୋମାଲ ଶାନ୍ତିନଗରରେ ରହୁଥିଲେ।

ପୋଲିସ ତାଙ୍କ ନିକଟରୁ ୨୦ ଗ୍ରାମ୍ ହେରୋଇନ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଝାରସୁଗୁଡ଼ାର ବିଭିନ୍ନ ଥାନାରେ ଚୋରି, ଠକେଇ, ଅସ୍ତ୍ର ଆଇନ ଓ ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.