
କଟକ,୨୯.୦୬.୨୦୨୬ ରିଖ – ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ପକ୍ଷରୁ ଆଜି ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ତଥା ପରିସଂଖ୍ୟାନର ଜନକ ଡଃ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କର ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ କାର୍ଯ୍ୟକ୍ରମରେ ଅଧକ୍ଷତା କରି ଡଃ ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କ ଭାରତର ପରିସଂଖ୍ୟାନ କ୍ଷେତ୍ରରେ ଅବଦାନ ଓ ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ । ସଠିକ୍ ପରିସଂଖ୍ୟାନ ତଥ୍ୟ ସୁଦୃଢ଼ ନୀତି ପ୍ରଣୟନ, ଦେଶ ଓ ରାଜ୍ୟର ବିକାଶ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅର୍ଥନୀତି ଓ ପରିସଂଖ୍ୟାନ ଡଃ କୈଳାଶ ଚନ୍ଦ୍ର ପାଣି , ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଅର୍ଥନୀତି ଓ ପରିସଂଖ୍ୟାନ ଡଃ ବିଜ୍ଞାନାନନ୍ଦ ମହାନ୍ତି ,କେନ୍ଦ୍ରାଞ୍ଚଳ (ପରିସଂଖ୍ୟାନ) ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ , ଶୈଳବାଳା ମହିଳା ବିଶ୍ଵବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଶ୍ରୀମତୀ ମମତାରାଣୀ ସାହୁ , ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସଂଖ୍ୟାନ ପ୍ରାଧ୍ୟାପିକା ଶ୍ରୀମତୀ ଅର୍ଚ୍ଚନା ପାଣିଗ୍ରାହୀ ଯୋଗଦେଇ ପରିସଂଖ୍ୟାନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ୨୦୦୭ ମସିହାରୁ ପ୍ରତିବର୍ଷ ୨୯ ଜୁନରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଉଛି। କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଠିକ୍ ପରିସଂଖ୍ୟାନ ତଥ୍ୟ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତାର ମୂଳ ଆଧାର ବୋଲି ସେମାନେ ମତ ପ୍ରକାଶ କରିଥିଲେ। ବିଶ୍ଵବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଉପନିର୍ଦ୍ଦେଶକ ଶ୍ରୀ ବିଶ୍ଵରଞ୍ଜନ ଦାଶ ସଭା ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.