ଓଡ଼ଗାଁ, ୨୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ତୋଟାସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଗୃହ ନିର୍ମାଣ କାର୍ଯ୍ୟ ସମୟରେ ଦ୍ୱିତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଓଡ଼ଗାଁର ଶ୍ଳିପି ନଗର ସାହିର ବାସିନ୍ଦା ଭଗବାନ ସାହୁ (୫୮)। ସୂଚନା ଅନୁସାରେ, ଭଗବାନ ପ୍ରତିଦିନ ପରି ଗୁରୁବାର ସକାଳେ ତୋଟାସାହିରେ ଏକ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। କାମ କରୁଥିବା ସମୟରେ ହଠାତ୍ ସେ ଦ୍ୱିତୀୟ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ କାରିଣୀ ସାହୁ (୨୦)ଙ୍କ ଅଭିଯୋଗ ଆଧାରରେ ଓଡ଼ଗାଁ ଆଦର୍ଶ ଥାନାରେ ଅପମୃତ୍ୟୁ ମାମଲା ନମ୍ବର ୧୧/୨୦୨୬ ରୁଜୁ ହୋଇଛି। ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.