ସ୍ନେହ ସେତୁ’ ମାଧ୍ୟମରେ ଦେଢ଼ ବର୍ଷ ପରେ ପରିବାର ସହ ମିଳିତ ହେଲେ ଝାରସୁଗୁଡ଼ାର ନରେନ୍ଦ୍ର

0

ଝାରସୁଗୁଡ଼ା: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଏକ ଅଭିନବ ପଦକ୍ଷେପ ଆଜି ଏକ ବିଚ୍ଛିନ୍ନ ହୋଇଯାଇଥିବା ପରିବାରକୁ ପୁନଃ ଏକତ୍ରିତ କରିଛି। ଜିଲ୍ଲାପାଳଙ୍କ ପରିକଳ୍ପିତ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ବିହାରରୁ ଉଦ୍ଧାର ହୋଇଥିବା ନରେନ୍ଦ୍ର ପୋଢ଼ ଆଜି ଉପଯୁକ୍ତ କାଉନସେଲିଂ ପରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନିଜ ପତ୍ନୀ ଓ ଦୁଇ ପୁଅଙ୍କ ସହ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ ଯେ, କିର୍ମିରା ବ୍ଲକ ଭିମଯୋର ପଞ୍ଚାୟତ ଅନ୍ତର୍ଗତ ହଣ୍ଡାତୋପା ଗ୍ରାମର ମାନସିକ ଅନଗ୍ରସର ଯୁବକ ନରେନ୍ଦ୍ର ପୋଢ଼ ଗତ ଦେଢ଼ ବର୍ଷ ଧରି ନିଖୋଜ ଥିଲେ । ପରିବାର ଲୋକେ ସବୁ ଆଶା ଛାଡ଼ି ଦେଇଥିବା ବେଳେ ୨ ମାସ ତଳେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ନିଜ ଇନଷ୍ଟାଗ୍ରାମ ଫିଡ୍‌ରେ ବ୍ଲଗର ଶୁଭମ ବାରିକଙ୍କ ଏକ ଭିଡିଓ ଦେଖିବାକୁ ପାଇଥିଲେ । ଭିଡିଓଟିରେ ବିହାରର ବଖ୍ତିଆରପୁର ଅଞ୍ଚଳରେ ଜଣେ ଅସହାୟ ବ୍ୟକ୍ତି ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଥିଲେ । ଜିଲ୍ଲାପାଳ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ତୁରନ୍ତ ନିଜର ବ୍ୟକ୍ତିଗତ ପକେଟରୁ ସମସ୍ତ ଖର୍ଚ୍ଚ ବହନ କରି ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ବିହାର ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାଏକଙ୍କ ତତ୍ତ୍ୱାବଧାନରେ ପିପୁଲ୍ସ ଫୋରମ୍ ଏନ ଜି ଓ ଏବଂ ବିହାର ପୋଲିସର ସହାୟତାରେ ନରେନ୍ଦ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଅଣାଯାଇଥିଲା ଏବଂ ‘ଆଶଲୋକ-୧’ ରେ ରଖାଯାଇଥିଲା।

ଜିଲ୍ଲାପାଳ କହିଛନ୍ତି ଯେ, “ପ୍ରଶାସନିକ ଦାୟିତ୍ୱର ଏକ ନିର୍ଦ୍ଦିଷ୍ଟ ପରିସର ଥାଇପାରେ, କିନ୍ତୁ ମାନବିକତାର କୌଣସି ଭୌଗୋଳିକ କିମ୍ବା ଆଇନଗତ ସୀମା ନାହିଁ । ‘ସ୍ନେହ ସେତୁ’ର ମୂଳ ଲକ୍ଷ୍ୟ କେବଳ ଉଦ୍ଧାର କରିବା ନୁହେଁ, ବରଂ ଜଣେ ଅସହାୟ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଓ କାଉନସେଲିଂ ପ୍ରଦାନ କରି ସ୍ୱାଭିମାନର ସହ ନିଜ ପରିବାର ମଧ୍ୟରେ ପୁଣି ଥରେ ହସଖୁସିରେ ବଞ୍ଚିବାର ସୁଯୋଗ ଦେବା। ଆଜି ନରେନ୍ଦ୍ର ନିଜ ସ୍ତ୍ରୀ ଓ ପିଲାମାନଙ୍କ ପାଖକୁ ଫେରିବା ଆମ ଅଭିଯାନର ସବୁଠାରୁ ବଡ଼ ସଫଳତା।”

ଆଜି ନରେନ୍ଦ୍ର ନିଜ ପରିବାର ସହ ସୁଖରେ ନିଜ ଘରକୁ ଫେରିବା ସହ ‘ସ୍ନେହ ସେତୁ’ର ସଫଳତା କାହାଣୀରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

Leave A Reply

Your email address will not be published.