କେନ୍ଦୁଝର:୧୦/୦୬: କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ, ବଣ୍ଟନ ଏବଂ କଳାବଜାରୀ ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ‘ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ ସାମଗ୍ରୀର ସାମ୍ପ୍ରତିକ ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା। ବଜାରରେ ଏହି ସବୁ ସାମଗ୍ରୀର ଯେପରି କୌଣସି କୃତ୍ରିମ ଅଭାବ ସୃଷ୍ଟି ନହୁଏ ଏବଂ ଗ୍ରାହକମାନେ ଯେପରି ସହଜରେ ପେଟ୍ରୋଲିୟମ ସାମଗ୍ରୀ ପାଇପାରିବେ, ସେଥିପାଇଁ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ପେଟ୍ରୋଲିୟମ ସାମଗ୍ରୀର ସଠିକ୍ ଉପଲବ୍ଧତା ନିଶ୍ଚିତ କରିବା ଏବଂ କଳାବଜାରୀ କିମ୍ବା ବେଆଇନ ମହଜୁଦ ରୋକିବା ପାଇଁ ପ୍ରଶାସନ ସର୍ବଦା ସତର୍କ ରହିଛି। ଯଦି କୌଣସି ଅଞ୍ଚଳରେ ଏହି ସାମଗ୍ରୀର ଅଭାବ ଦେଖାଦିଏ କିମ୍ବା କଳାବଜାରୀ ହେଉଥିବାର ସୂଚନା ମିଳେ, ତେବେ ତୁରନ୍ତ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ପାଇଁ ନିବେଦନ କରାଯାଇଛି। ବୈଠକରେ ବିଶେଷ ଭାବେ ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପୋଲିସ ବିଭାଗ, ସିଭିଲ୍ ସପ୍ଲାଇ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ପ୍ରତିନିଧି ଏବଂ ତେଲ କମ୍ପାନୀ (ଆଇଓସିଏଲ, ବିପିସିଏଲ,ଏଚପିସିଏଲ)ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପେଟ୍ରୋଲିୟମ ସାମଗ୍ରୀର ସୁବିଧାଜନକ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.