ଲଖନପୁରଠାରେ ଯୁଗ୍ମ ଜନଶୁଣାଣି ଶିବିର; ୪୪ ଟି ଅଭିଯୋଗର ଶୁଣାଣି

0

ଲଖନପୁର: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନସାଧାରଣଙ୍କ ସମସ୍ୟାର ସରଳ, ସୂଚାରୁ ଏବଂ ଶୀଘ୍ର ସମାଧାନ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୪୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୩୭ ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୭ ଟି ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଶିବିରରେ ପ୍ରତ୍ୟେକଟି ଆବେଦନକୁ ଗୁରୁତ୍ୱର ସହ ବିଚାର କରାଯାଇ କେତେକ ଜଟିଳ ସମସ୍ୟାର ତତ୍କାଳ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି ସମାଧାନ ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ସହକାରୀ ଜିଲ୍ଲାପାଳ (ଅଭିଯୋଗ ପ୍ରକୋଷ୍ଠ) ଏବଂ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ଜଣ ଆବେଦନକାରୀଙ୍କୁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ତତ୍କାଳ ମଞ୍ଜୁର କରାଯାଇ ପ୍ରଦାନ କରାଯାଇଛି।

ଶିବିରରେ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ସେବା ଜନିତ ସମସ୍ୟା, ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡି ଟୋକନ ସମସ୍ୟା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବଂ ବିଭିନ୍ନ ସରକାରୀ ଯୋଜନାରେ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଆସିଥିଲା। ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ହୀରାକୁଦ ବୁଡ଼ି ଅଞ୍ଚଳର ବିସ୍ଥାପିତଙ୍କ ଜମିଜମା ସମ୍ବନ୍ଧୀୟ ବିବାଦ ଓ ସମସ୍ୟା ଉପରେ ଦୀର୍ଘ ଆଲୋଚନା କରାଯାଇ ଏହାର ସ୍ଥାୟୀ ସମାଧାନ ପାଇଁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.