ଓଡ଼ଗାଁ, ୭।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀର ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ ହୋଇଥିବା ବିଦ୍ୟାଳୟଗୁଡ଼ିକ ହେଲେ— ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ, ଗୋଡ଼ିପଡ଼ା (ଶିଶୁ ବାଟିକାରୁ ଦଶମ ଶ୍ରେଣୀ), ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ବରସାହି (ଶିଶୁ ବାଟିକାରୁ ଦଶମ ଶ୍ରେଣୀ), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଗରବନ୍ଧ (ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ) ଏବଂ ଗୋତିସାହି ପଞ୍ଚାୟତ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗମ୍ଭାରୀଡିହି (ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ)।
ଏହି ଅବସରରେ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକରେ ପହଞ୍ଚି ଉପସ୍ଥିତ ଅଭିଭାବକ, ଶିକ୍ଷାପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଆଭାସୀ ଉଦ୍ବୋଧନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଶିକ୍ଷକମାନେ ଶିକ୍ଷାଦାନ କରିବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ଏହାଦ୍ୱାରା ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ନିଜ ସନ୍ତାନଙ୍କୁ ପଢ଼ାଇବାକୁ ଅଧିକ ଆଗ୍ରହୀ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.