ଓଡ଼ଗାଁ, ୪।୬(ଶ୍ରୀକାନ୍ତ କୁମାର ମିଶ୍ର): ସମାଜରେ ନୈତିକ ମୂଲ୍ୟବୋଧର ଅବକ୍ଷୟ ଏବଂ ସ୍ବାର୍ଥ ସର୍ବସ୍ବ ଚିନ୍ତାଧାରା ବୃଦ୍ଧି ପାଉଥିବା ବେଳେ ମାଦକ ଦ୍ରବ୍ୟ ସେବନର ମାତ୍ରା ବୃଦ୍ଧି ମଣିଷର ହିତାହିତ ଜ୍ଞାନକୁ ଜାଳି ପୋଡ଼ି ଛାରଖାର କରିଦେଉଥିବା ବେଳେ ଏକ ସମ୍ବେଦନଶୀଳ ଘଟଣାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା କୁରୁମ ବାଙ୍କତରା ଗ୍ରାମରେ ସଦ୍ୟ ବିବାହିତ ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଏଇ କିଛିବର୍ଷ ଧରି ଓଡ଼ଗାଁ ଅଞ୍ଚଳରେ ଏଭଳି କେତେକ ବଧୁହତ୍ୟା ଘଟଣା ନ୍ୟାୟ ପାଇବା ଆଶାରେ କୋଟରେ ଘୁରି ବୁଲୁଥିବା ବେଳେ ଦୀପକ୍ ମହାପାତ୍ରଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର (୨୨)ଙ୍କ ମୃତ୍ୟୁ ଅନ୍ୟ ଏକ ନମ୍ବର ଭାବେ ଯୋଡ଼ି ହୋଇଛି । ଗତ ୩ ତାରିଖ ବିଳମ୍ବିତ ରାତିରେ ସ୍ବାମୀ ଶାଶୁ ଓ ଶଶୁର ମିଶି ହତ୍ୟା କରିଥିବା ନେଇ ୪ ତାରିଖ ସକାଳେ ମୃତକ ଶୁଭଶ୍ରୀଙ୍କ ବାପା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ବଡପଡା ଗ୍ରାମର ପଦ୍ମ ରଣା ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ୧୫୫/୨୦୨୬ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶରଣକୁଳ ଏସଡିପିଓ ଦୀପ୍ତି କାନ୍ତ ପ୍ରଧାନ, ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକ, ସବଇନ୍ସପେକ୍ଟର ଚକ୍ରଧର ସିଂ ଘଟଣାସ୍ଥଳରେ ପହଞ୍ଚି ମୃତକ ଶୁଭଶ୍ରୀଙ୍କ ଶବକୁ ଜବତ କରିବା ସହିତ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଓଡ଼ଗାଁରେ ଡ଼ାକ୍ତର ନଥିବା କାରଣରୁ ଏକାଧିକ ଡାକ୍ତରଙ୍କ ଦ୍ବାରା ବ୍ୟବଛେଦ ପାଇଁ ଶୁଭଶ୍ରୀଙ୍କ ଶବକୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ସ୍ବାମୀ ଦୀପକ୍ କୁମାର ମହାପାତ୍ର ପୋଲିସ ହେପାଜତରେ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବ୍ୟବଛେଦ ରିପୋର୍ଟ ଅନୁସାରେ ପୋଲିସ ପରବର୍ତ୍ତୀ କାର୍ଯାନୁଷ୍ଠାନ ଗ୍ରହଣ କରିବ । ଘଟଣାରୁ ପ୍ରକାଶ କୁରୁମବାଙ୍କତର ପ୍ରମୋଦ ମହାପାତ୍ରଙ୍କ ପୁଅ ଦୀପକ୍ ମହାପାତ୍ର ଗତ ମାର୍ଚ୍ଚ ୯ ତାରିଖରେ ହିନ୍ଦୁ ରିତି ଅନୁଯାୟୀ ବିବାହ କରିଥିଲେ। ତେବେ ବିବାହର ୩ ମାସ ପୁରିବା ପୂର୍ବରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଦେଇଛି । ଶୁଭଶ୍ରୀଙ୍କର ଶଶୁର ଓ ଦିଅରଙ୍କ ସହ ଖରାପ୍ ସମ୍ପର୍କକୁ ନେଇ ପୁଅ ଦୀପକ୍ ସନ୍ଦେହ ପ୍ରକାଶ କରିବା ପରେ ଏଥିରେ ମର୍ମାହତ ହୋଇପଡି ଦୀପକର ବାପା ପ୍ରମୋଦ ମହାପାତ୍ର ଯାଇ ଝିଅଘରେ ରହିଥିଲେ। ଅନ୍ୟପକ୍ଷରେ ଦିଅର ସହ ଅନୈତିକ ସମ୍ପର୍କ ସନ୍ଦେହରେ ଦୀପକ୍ ଘରେ ସିସିଟିଭି ମଧ୍ୟ ଲଗାଇଥିଲା। ତେବେ ଦୀପକଙ୍କ ସନ୍ଦେହ ଆଦୈ।ସତ ନଥିବା ବାପା ପ୍ରମୋଦ କହିଛନ୍ତି। ବୁଧବାର ସନ୍ଧ୍ୟାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡାଝାଟି ଲାଗିଥିଲା। ରାତିରେ ଉଭୟ ଗୋଟିଏ ଘରେ ଏକାଠି ଶୋଇଥିଲେ । ହେଲେ ସକାଳ ପାଇବା ପୂର୍ବରୁ ଶୁଭଶ୍ରୀଙ୍କ ଶବ ଫ୍ୟାନରେ ଝୁଲୁଥିବା ଦୀପକ୍ ଦେଖି ତଳକୁ ଓଲ୍ହାଇ ତଳେ ଥୋଇଥିଲା । ଉକ୍ତ ଘଟଣା ସମ୍ପର୍କରେ ଶୁଭଶ୍ରୀର ଦିଅରଠାରୁ ଖବର ପାଇ ଭଞ୍ଜନଗର ଥାନା ବଡ଼ପଡା ଗ୍ରାମର ପିତା ପଦ୍ମ ରଣା ବୁଧବାର ସକାଳେ କୁରୁମ ବାଙ୍କତରା ଗ୍ରାମରେ ପହଞ୍ଚିଥିଲେ। ଝିଅକୁ ମୃତ ଅବସ୍ଥାରେ ଦେଖି ଭାଙ୍ଗି ପଡିଥିବା ବେଳେ ସେଠାରୁ ଆସି ଅଧିକ ଜଉତୁକ ଦାବିରେ ଶୁଭଶ୍ରୀର ଶାଶୁ, ଶଶୁର ଏବଂ ସ୍ବାମୀ ତାକୁ ମାରିଦେଇଥିବା ନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.