ଓଡ଼ଗାଁ, ୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଣୀବୈଖରୀ ସାହିତ୍ୟ ପରିବାର ପକ୍ଷରୁ ଓଡ଼ିଆ ଅନୁବାଦିତ ‘ଭାମିନୀ ବିଳାସ’ ପୁସ୍ତକର ଲୋକାର୍ପଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। କବି, ଲେଖକ ଓ ସ୍ତମ୍ଭକାର ଶାନ୍ତନୁ ବିଶୋଇଙ୍କ ଦ୍ୱାରା ଅନୁବାଦିତ ଏବଂ କୋଠଘର ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ଉନ୍ମୋଚନ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଥିଲା।
ଅନୁଷ୍ଠାନରେ ଓଡ଼ଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଣ୍ଡିତରାଜ ଜଗନ୍ନାଥଙ୍କ ମୂଳ ରଚନା ‘ଭାମିନୀ ବିଳାସ’ର ଓଡ଼ିଆ ଅନୁବାଦକୁ ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ଓ ଅନ୍ୟାନ୍ୟ ଅତିଥିଙ୍କ ସହ ଉନ୍ମୋଚନ କରିଥିଲେ।
ମୁଖ୍ୟ ବକ୍ତା ଚନ୍ଦ୍ର ବିଜୟୀ ମିଶ୍ର ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ‘ଭାମିନୀ ବିଳାସ’ କାବ୍ୟକୁ ପ୍ରାସ୍ତାବିକ ବିଳାସ, ଶୃଙ୍ଗାର ବିଳାସ, କରୁଣା ବିଳାସ ଓ ଶାନ୍ତ ବିଳାସ ଭଳି ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଏହି କାବ୍ୟରେ ସମାଜ ପାଇଁ ଆବଶ୍ୟକ ମାନବୀୟ ଉପଦେଶାବଳୀ ରହିଥିବାରୁ ଏହା ଯୁବବର୍ଗରୁ ଆରମ୍ଭ କରି ବରିଷ୍ଠ ପାଠକମାନଙ୍କ ପାଇଁ ମଧ୍ୟ ଶିକ୍ଷଣୀୟ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କବି ପ୍ରଫୁଲ୍ଲ ମାଝୀ, ଖେଳ ବ୍ୟକ୍ତିତ୍ୱ ଓ ସାହିତ୍ୟିକ ଦିବାକର ନାୟକ, ସୁସାହିତ୍ୟିକା ଗୀତାଞ୍ଜଳୀ ମହାପାତ୍ର, ପ୍ରିୟମ୍ବଦା ଦାଶ, ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ୍ ଖାଲିକ୍, ମା’ ଫାଉଣ୍ଡେସନ ସମ୍ପାଦକ ରଞ୍ଜନ ରଶ୍ମୀ ଯେନା, ବରିଷ୍ଠ ସମାଜସେବୀ ଓ ସୁସାହିତ୍ୟିକ ଶ୍ରୀଧର ପ୍ରଧାନ, କବି ଗୋପୀନାଥ ସେଠୀ, ଯଶୋବନ୍ତ ପଟ୍ଟନାୟକ, ନିରାକାର ସ୍ୱାଇଁ, ‘ପରମ୍ପରା’ର ସମ୍ପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ, ‘ଜୟ ନୟାଗଡ଼ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶେଖ୍ ଅବଦୁଲ୍ ଆହାଦ୍, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ଓ ରେଣୁ ଅପା ପ୍ରମୁଖ ଉପସ୍ଥିତ ରହି ଶାନ୍ତନୁ ବିଶୋଇଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଶାନ୍ତନୁ ବିଶୋଇ କହିଥିଲେ ଯେ, “ସମସ୍ତଙ୍କ ଆଶୀର୍ବାଦ ଓ ସହଯୋଗ ରହିଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଙ୍କଳ୍ପକୁ ବାସ୍ତବ ରୂପ ଦେବାରେ କୌଣସି ପ୍ରତିବନ୍ଧକ ବାଧା ସୃଷ୍ଟି କରିପାରିବ ନାହିଁ।”
Sign in
Sign in
Recover your password.
A password will be e-mailed to you.
Next Post