ଚାରିଆକଣ ଛକରେ ବ୍ରାଉନ ସୁଗାର କାରବାର ଠାବ, ଜଣେ ଗିରଫ

0 2

ବାଲିକୁଦା, ୧୧/୦୫ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ଅପଣ୍ଡରା ପଞ୍ଚାୟତର ତିହୁଡି-ନହରଣା ମୁଖ୍ୟ ରାସ୍ତାର ଚାରିଆକଣ ଛକ ନିକଟରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ପାଇ ବାଲିକୁଦା ପୋଲିସ ଚଢାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁର ଥାନା ଅଞ୍ଚଳର ମହିଉଦିନପୁର ଗ୍ରାମର ଫିରୋଜଉଦିନ ଖାନଙ୍କ ପୁଅ ସାହିଲଉଦ୍ଦିନ ଖାନ (୨୪)। ସେ ବହୁଦିନ ଧରି ଜଗତସିଂହପୁରରୁ ବ୍ରାଉନ ସୁଗାର ଆଣି ବାଲିକୁଦାର ବିଭିନ୍ନ ଅଞ୍ଚଳରେ ବେପାର କରୁଥିବା ନେଇ ପୋଲିସ ପାଖରେ ସୂଚନା ଥିଲା।

କୌଣସି ବିଶେଷ ସୂତ୍ରରୁ ଖବର ପାଇ ବାଲିକୁଦା ଥାନା ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲା। ପୋଲିସ ଟିମ୍ ପହଞ୍ଚିବା ଦେଖି ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ତାଙ୍କୁ ପିଛା କରି ବିଲ ମଧ୍ୟରୁ କାବୁ କରିଥିଲା।
ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୬.୪୫ ଗ୍ରାମ ବ୍ରାଉନ ସୁଗାର, ୨୨୦୦ ଟଙ୍କା ନଗଦ, ଗୋଟିଏ Oppo ମୋବାଇଲ ଫୋନ ଏବଂ ଏକ କଳା ରଙ୍ଗର Apache-180 ମୋଟରସାଇକେଲ (OD-21-G-0584) ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ଅବୈଧ ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ଅନୁମାନ କରିଛି।

ଏନେଇ ବାଲିକୁଦା ଥାନାରେ କେସ ନଂ ୧୭୨/୨୬ ରେ NDPS ଆଇନର ଧାରା ୨୧(ବି) ଓ ୨୯(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଜଗତସିଂହପୁର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.