ହ୍ୱିଲ୍ଚେୟାର ଅଭାବ, ଅଚଳ ଡେକ୍ସା ସ୍କାନ୍ ମେସିନ୍ ଓ ଅକାମୀ ଅଭିଯୋଗ ବ୍ୟବସ୍ଥା; ଭଙ୍ଗା ଚେୟାରରୁ ବୃଦ୍ଧଙ୍କୁ ଆଘାତ
କେନ୍ଦୁଝର,ତା୨୭/୧୧-ଜିଲ୍ଲାର ପ୍ରମୁଖ ସରକାରୀ ଚିକିତ୍ସାଳୟ ଭାବେ ପରିଚିତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଓ ମୌଳିକ ସୁବିଧାର ଅବ୍ୟବସ୍ଥା ଏବେ ଚିନ୍ତାର ବିଷୟ ହୋଇଛି । ହ୍ୱିଲ୍ଚେୟାରର ଅଭାବ, ହେଲ୍ପ ଡେସ୍କର ନିଷ୍କ୍ରିୟତା, ଅଭିଯୋଗ ଦାଖଲ ପାଇଁ ବ୍ୟବସ୍ଥା ନଥିବା, ରୋଗୀଙ୍କ ପାଇଁ ରଖାଯାଇଥିବା ଭଙ୍ଗା ଚେୟାର ଏବଂ ଡେକ୍ସା ସ୍କାନ୍ ମେସିନ୍ ଅଚଳ ହୋଇପଡ଼ିବା ଭଳି ସଂବେଦନଶୀଳ ଘଟଣା ଚିକିତ୍ସାଳୟର ପରିଚାଳନା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି ।
ଗତ ନଭେମ୍ବର ୧୫ ତାରିଖରେ ଜଣେ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଓପିଡିକୁ ନିଆଯାଉଥିବା ବେଳେ ହ୍ୱିଲ୍ଚେୟାରଟିଏ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା । ଶେଷରେ ତାହା ମିଳି ନଥିଲା । ଏକ ଜିଲ୍ଲାସ୍ତରୀୟ ରେଫରାଲ ହସ୍ପିଟାଲରେ ବୃଦ୍ଧ, ଗୁରୁତର ଓ ଚଳପ୍ରଚଳ କରିବାକୁ ଅକ୍ଷମ ରୋଗୀଙ୍କ ପାଇଁ ଯଥେଷ୍ଟ ହ୍ୱିଲ୍ଚେୟାର ଉପଲବ୍ଧ ନହେବା ଚିକିତ୍ସାଳୟର ମୌଳିକ ସେବା ବ୍ୟବସ୍ଥା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ।
ସେହିପରି ରୋଗୀ ଓ ସମ୍ପର୍କୀୟଙ୍କୁ ସହାୟତା ଓ ମାର୍ଗଦର୍ଶନ ଦେବା ପାଇଁ ରହିଥିବା ହେଲ୍ପ ଡେସ୍କର କାର୍ଯ୍ୟକାରିତା ମଧ୍ୟ ସନ୍ତୋଷଜନକ ନଥିବା ଅଭିଯୋଗ ହୋଇଛି । ଏପରିକି ଚିକିତ୍ସାଳୟର ସମସ୍ୟା ସମ୍ପର୍କରେ ଅଭିଯୋଗ କରିବାକୁ ଯାଇ ଜଣାପଡ଼ିଥିଲା ଯେ ପ୍ରାୟ ଚାରିମାସ ହେଲା ଅଭିଯୋଗ ବାକ୍ସ ହଟାଇ ଦିଆଯାଇଛି । ଲିଖିତ ଅଭିଯୋଗ ଦେବା ପାଇଁ କାଗଜ ମାଗିବାରୁ ତାହା ମଧ୍ୟ ଯୋଗାଇ ଦେବାକୁ ହେଲ୍ପ ଡେସ୍କ କର୍ମଚାରୀ ଅକ୍ଷମତା ପ୍ରକାଶ କରିଥିଲେ । ଅନ୍ଲାଇନ୍ରେ ଅଭିଯୋଗ ଦାଖଲ ବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ସେଭଳି କୌଣସି ସୁବିଧା ନଥିବା ଉତ୍ତର ମିଳିଥିଲା । ତେବେ ରୋଗୀ ଓ ସମ୍ପର୍କୀୟମାନେ ନିଜ ସମସ୍ୟା କାହା ନିକଟରେ ଏବଂ କିପରି ଜଣାଇବେ, ତାହା ଏବେ ବଡ଼ ପ୍ରଶ୍ନ ।
ଅନ୍ୟପକ୍ଷରେ ରୋଗୀମାନଙ୍କ ଅପେକ୍ଷା ପାଇଁ ବିଭିନ୍ନ ୱାର୍ଡ, ବାରଣ୍ଡା ଓ କରିଡରରେ ରଖାଯାଇଥିବା କେତେକ ଚେୟାର ଭାଙ୍ଗି ଯାଇଥିଲେ ମଧ୍ୟ ସେଗୁଡ଼ିକୁ ବ୍ୟବହାରରୁ ହଟାଯାଇ ନାହିଁ । ଗତ ୧୫ ତାରିଖରେ ଜରୁରୀକାଳୀନ ବିଭାଗରେ ଏଭଳି ଏକ ଭଙ୍ଗା ଚେୟାରରେ ବସିଥିବା ବେଳେ ତାହା ଭାଙ୍ଗିଯିବାରୁ ଜଣେ ବୃଦ୍ଧ ତଳେ ପଡ଼ିଯାଇଥିଲେ । ଏହା ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ଗମ୍ଭୀର ଅବହେଳାର ଉଦାହରଣ । ବିଶେଷକରି ବୟସ୍କ ଓ ଶାରୀରିକ ଦୁର୍ବଳ ରୋଗୀଙ୍କ ପାଇଁ ଏଭଳି ଅବ୍ୟବସ୍ଥା ଅଧିକ ବିପଜ୍ଜନକ ହୋଇପାରେ ।
ସେହିପରି ଜିଲ୍ଲାର ଏକମାତ୍ର ଡେକ୍ସା ସ୍କାନ୍ କେନ୍ଦ୍ର ଭାବେ ପରିଚିତ ଏହି ଚିକିତ୍ସାଳୟରେ ଡେକ୍ସା ସ୍କାନ୍ ମେସିନ୍ ମଝିରେ ମଝିରେ ଅଚଳ ହୋଇ ପଡୁଥିବା ଜଣାପଡ଼ିଛି । ଫଳରେ ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରୁ ଏହି ପରୀକ୍ଷା ପାଇଁ ଆସୁଥିବା ରୋଗୀମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ମେସିନ୍ର ତୁରନ୍ତ ମରାମତି ସହ ଏହା ଅଚଳ ରହିବା ସମୟରେ ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ।
ଏତଦ୍ବ୍ୟତୀତ ଚିକିତ୍ସାଳୟର ମୁଖ୍ୟ ପ୍ରବେଶ ପଥରେ ଓଡ଼ିଆରେ ଲେଖାଥିବା ଆଲୋକିତ ନାମଫଳକଟି ଦୀର୍ଘଦିନ ହେଲା ଖରାପ ହୋଇପଡ଼ିଛି । ଏକ ପ୍ରମୁଖ ସରକାରୀ ଅନୁଷ୍ଠାନର ମୁଖ୍ୟ ପରିଚୟ ଫଳକର ଏଭଳି ଅବସ୍ଥା ମଧ୍ୟ ରକ୍ଷଣାବେକ୍ଷଣ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି ।
ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ହ୍ୱିଲ୍ଚେୟାର ଯୋଗାଣ, ହେଲ୍ପ ଡେସ୍କର କାର୍ଯ୍ୟ ଓ ଉତ୍ତରଦାୟିତ୍ୱର ସମୀକ୍ଷା, ଅଭିଯୋଗ ବାକ୍ସ ଓ ଅଭିଯୋଗ ପଞ୍ଜୀକରଣ ବ୍ୟବସ୍ଥାର ପୁନଃ ପ୍ରଚଳନ, ଭଙ୍ଗା ଚେୟାରଗୁଡ଼ିକର ତୁରନ୍ତ ମରାମତି ବା ଅପସାରଣ, ବିକଳ୍ପ ଡେକ୍ସା ସ୍କାନ୍ ମେସିନ୍ର ପ୍ରଚଳନ ଏବଂ ନାମଫଳକର ମରାମତି ଓ ପୁନଃ ସ୍ଥାପନ ପାଇଁ ଦାବି ହୋଇଛି । ଏଥିସହ ଚିକିତ୍ସାଳୟର ମୌଳିକ ସୁବିଧା ଓ ରୋଗୀ ସହାୟତା ବ୍ୟବସ୍ଥାର ସାମଗ୍ରିକ ଯାଞ୍ଚ କରିବାକୁ ମଧ୍ୟ ଦାବି ଉଠିଛି ।
କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ଏହି ପ୍ରମୁଖ ଚିକିତ୍ସାନୁଷ୍ଠାନକୁ ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଭରସା କରୁଥିବା ବେଳେ ରୋଗୀଙ୍କୁ ହ୍ୱିଲ୍ଚେୟାର, ସୁରକ୍ଷିତ ବସିବା ସ୍ଥାନ ଓ ଅଭିଯୋଗ ଜଣାଇବାର ସୁବିଧା ଭଳି ସର୍ବନିମ୍ନ ସେବା ପାଇଁ ସଂଘର୍ଷ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ । ଦୂରଦୂରାନ୍ତରୁ ଆଶା ଓ ଭରସା ନେଇ ଆସୁଥିବା ରୋଗୀଙ୍କ ପାଇଁ ଚିକିତ୍ସାଳୟ କେବଳ ଚିକିତ୍ସାର କେନ୍ଦ୍ର ନୁହେଁ, ସୁରକ୍ଷା, ସହାନୁଭୂତି ଓ ଉତ୍ତରଦାୟିତ୍ୱର ମଧ୍ୟ ପ୍ରତୀକ ହେବା ଆବଶ୍ୟକ। ଜିଲ୍ଲାର ଗୌରବ ଓ ଭାବମୂର୍ତ୍ତି ସହ ଜଡ଼ିତ ଏହି ଅନୁଷ୍ଠାନର ସେବା ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ସଚେତନ ମହଲରେ ଦାବି ହେଉଛି ।